ନାଗ ପାଟିରେ ପିଆଜ ! ଅନୁଗୁଳରେ ନାଗ ସାପ ପାଟିରୁ ବାହାରିଲା ୮ଟି ପିଆଜ

142

କନକ ବ୍ୟୁରୋ : ପୂରା ରାଜ୍ୟରେ ଏବେ ନାଗ ସାପଙ୍କୁ ନେଇ ଆତଙ୍କ ଦେଖାଦେଇଛି । ପ୍ରତିଦିନ କେଉଁଠି ନା କେଉଁଠି ନାଗ ସାପ ବାହାରୁଥିବା ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ଏବେ ନାଗ ସାପ ପିଆଜ ଖାଉଥିବା ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ସାପ ଗୁଡ଼ିକ ଛୋଟ ଛୋଟ କୀଟ ପତଙ୍ଗ, ବେଙ୍ଗ କିମ୍ବା ମୂଷା ଖାଇଥାନ୍ତି । କିନ୍ତୁ ନାଗ ସାପ ପିଆଜ ଖାଉଥିବା ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ତାହା ବି ପୁଣି ଓଡ଼ିଶାରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗାଁରେ ନାଗ ସାପ ପିଆଜ ଖାଉଥିବା ଦେଖା ଦେଇଛି । ଟାଙ୍ଗିରି ଗାଁର ସୁଶାନ୍ତ କୁମାର ବେହେରାଙ୍କ ଘରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଜି ସୁଶାନ୍ତ ଘରେ ଥିବା ବେଳେ ଏକ ନାଗ ସାପକୁ ଦେଖିଥିଲେ । ଘରୁ ନାଗ ସାପକୁ ବାହାର କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିଲେ ସୁଶାନ୍ତ । ଫଳରେ ସାପକୁ ଘରୁ ବାହାର କରିବା ପାଇଁ ସାପ ଧରାଳିକୁ ଡାକିଥିଲେ । ସାପ ଧରାଳି ନାଗ ସାପକୁ ଧରି ବାହାରକୁ ଆଣିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ନାଗଟି କିଛି ଖାଇଥିବାରୁ ଏହା ଚାଲି ପାରୁନଥିଲା । ତେବେ ସାପ ଧରାଳି କୌଶଳ କ୍ରମେ ନାଗ ସାପ ପାଟିରୁ ଖାଦ୍ୟ ବାହାର କରିବା ପରେ ଏହା ପିଆଜ ବୋଲି ଜଣା ପଡ଼ିଥିଲା । ସାପଟି ପାଟିରୁ ମୋଟ ୮ଟି ପିଆଜ ଓ ଗୋଟିଏ ବେଙ୍ଗ ବାହାରିଥିଲା । ପରେ ସାପଟିକୁ ଛାଡ଼ି ଦିଆଯାଇଥିଲା । ତେବେ ସାପ ପିଆଜ ଖାଉଥିବା ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।