ଯାଜପୁର : ପାଣିକୋଇଲି ବରେଇ ଗାଁରେ ଏକ ମାଟିଘର ଚଟାଣ ତଳୁ ଉଦ୍ଧାର ହେଲେ ୨୫ରୁ ଉର୍ଦ୍ଧ୍ୱ ନାଗ ସାପଛୁଆ

269

କନକ ବ୍ୟୁରୋ : ଯାଜପୁର ପାଣିକୋଇଲି ଥାନା ବରେଇ ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଏହି ଗାଁର ଜଣକ ମାଟିଘର ଚଟାଣ ତଳୁ ବାହାରି ଥିଲେ ମାଳ ମାଳ ନାଗ ସାପ । ଗାଁ ମୁଣ୍ଡରେ ଏକାକୀ ରହୁଥିବା ଜଣେ ବୃଦ୍ଧାଙ୍କ ଘରୁ ଏକାବେଳକେ ଉଦ୍ଧାର ହୋଇଛନ୍ତି ୨୫ରୁ ଉର୍ଦ୍ଧ୍ୱ ନାଗ ସାପ ଓ ଦୁଇ ଗୋଟି ବିଷାକ୍ତ ରଣା ସାପ । ଉଦ୍ଧାର ହୋଇଥିବା ସାପ ମଧ୍ୟରେ ଏକ ମା ନାଗ ଥିବାବେଳେ ଅନ୍ୟଗୁଡିକ ନାଗ ଛୁଆ ଥିଲେ ।

ଏହି ସାପକୁ ଉଦ୍ଧାର କରିଛନ୍ତି ଯାଜପୁର ରୋଡ ସ୍ନେକହେଲ୍ପ ଲାଇନର ସଦସ୍ୟ ଓ ବନ ବିଭାଗର କର୍ମଚାରୀ । ଏହି ସାପ ଛୁଆଙ୍କୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ସମାଗମ ହୋଇଥିଲା । ବୃଦ୍ଧା ଜଣକ ତାଙ୍କ ଘରେ ସାପଛୁଆ ଖେଳୁଥିବାର ଦେଖି ତାଙ୍କ ଝିଅକୁ ଫୋନ କରିଥିଲେ । ଆଉ ଏହାପରେ ତାଙ୍କ ଝିଅ ତୁରନ୍ତ ଯାଜପୁର ରୋଡଠାରେ ଥିବା ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ପହଂଚି ସାପ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଘରର ଭିତର ମାଟି ଚଟାଣ ତଳୁ ଜୀବନ୍ତ ଅବସ୍ତାରେ ଉଧାର ହୋଇଥିଲା ମା ନାଗ ସାପ । ଏହାପରେ ଉଧାର ହୋଇଥିଲେ ୨୩ଗୋଟି ନାଗଛୁଆ । ତେବେ ଏହି ଜୀବନ୍ତ ସାପଙ୍କ ବ୍ୟତୀତ ଘର ଭିତରୁ ୩ଟି ମୃତ ନାଗ ଛୁଆ ମଧ୍ୟ ଉଦ୍ଧାର ହୋଇଥିଲେ । ତାହା ସହିତ ମଧ୍ୟ ଦୁଇଟି ଜୀବନ୍ତ ରଣାସାପ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଉଦ୍ଧାର ସାପ ଗୁଡିକୁ ବନବିଭାଗକୁ ହସ୍ଥାନ୍ତର କରାଯାଇଥିବା ଜଣାପଡିଛି । ଏହି ଉଦ୍ଧାର ସାପଗୁଡିକୁ ନିକଟସ୍ଥ ବରାଙ୍ଗ ଜଙ୍ଗଲରେ ଛଡାଯିବ ବୋଲି ବନବିଭାଗ ଅଧିକାରି କହିଛନ୍ତି ।