ରାଜନୀତିରେ କୋଷ୍ଟାଲ ହାଇୱେ ! ବିଜେପିକୁ ଅଡୁଆ ସ୍ଥାନୀୟ ବିଧାୟକ ! ବିଜେଡି କହିଲା, ପ୍ରତାରଣା ଓ ଧୋକ୍କା ଦେଉଛି କେନ୍ଦ୍ର ।

112

କନକ ବ୍ୟୁରୋ : କୋଷ୍ଟାଲ ହାଇୱେର ଡିପିଆରକୁ ନେଇ ବଢିଲା ଦ୍ୱନ୍ଦ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଜି ସଚିବାଳୟରେ ଆଲୋଚନା କରିଛନ୍ତି ସରକାର । ପୂର୍ବରୁ ହୋଇଥିବା ନିଷ୍ପତିରେ କିଛି ପରିବର୍ତ୍ତନ ହୋଇଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଉପକୂଳ ରାଜପଥ ସାତପଡା-ପୁରୀ, କୋଣାର୍କ-ଅସ୍ତରଙ୍ଗର ପୁରୁଣା ରାସ୍ତାରେ କୋଷ୍ଟାଲ୍ ହାଇୱେ ନକରି ନୂଆ ରାସ୍ତାରେ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଓଡିଶା ସରକାର । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ଏନେଇ ରାଜ୍ୟ ସରକାର ଏନଏଚଆଇ କର୍ତ୍ତୃପକ୍ଷଙ୍କ ଡିପିଆରର ପରିବର୍ତନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ବିଜେପି କହିଛି, ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ଓ ସଂଜୟ ଦାସ ବର୍ମା ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୋଷ୍ଟାଲ ହାଇୱେକୁ ବିରୋଧ କରୁଛନ୍ତି । ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଜେଡିର ଏହି ଦୁଇ ବିଧାୟକ ଏହାକୁ ବିରୋଧ କରିଥିଲେ ବୋଲି ବିଜେପି କହିଛି । କୋଷ୍ଟାଲ ହାଇୱେକୁ ନେଇ ବିଜେଡି ହୀନ ରାଜନୀତି କରୁଥିବା ରାଜ୍ୟ ବିଜେପି କହିଛି । ସେପଟେ ପ୍ରେସମିଟ କରି ଜବାବ ରଖିଛି ବିଜେଡି । କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ପ୍ରତାରଣା ଓ ଧୋକ୍କା ଦେଇଥିବା ବିଜେଡି କହିଛି । ଓଡିଶାବାସୀଙ୍କ ପାଇଁ କେନ୍ଦ୍ରର ଆନ୍ତରିକତା କମ, ଏବଂ ରାଜନୀତି ବେଶୀ କରୁଥିବା ବିଜେଡି କହିଛି । ପୂର୍ବରୁ ଏହି ପ୍ରକଳ୍ପକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଥିବା ବେଳେ ଏବେ କେନ୍ଦ୍ରକୁ ଘେରିଛି ବିଜେଡି ।

ବିଜେଡି କହିଛି, ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ୨୦୧୫ରେ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଥିଲା । ତତ୍କାଳୀନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଭାବେ ଘୋଷଣା କରି ଖୁବଶୀଘ୍ର ଏହାର ଉନ୍ନତିକରଣ ହେବ ବୋଲି କହିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ଏହି ରାସ୍ତା ଆଜି ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ତେବେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଦୋଷ ଦେଉଥିବା ବିଜେପି କହିଥିଲା ଯେ, କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଦେଉନଥିବା ବିଜେପି ଅଭିଯୋଗ କରିଥିଲା । ତେବେ ଏହାକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛି ବିଜେଡି ।

ବିଜେଡି କହିଛି ପୂର୍ବରୁ ଏହି ପ୍ରକଳ୍ପକୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା, କେଉଁ ଜମି ଅଧିଗ୍ରହଣ କରାଯିବ, ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ । କୋଷ୍ଟାଲ୍ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ କରାଯିବ, ସେ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ କିଛି ସୂଚନା ମିଳିନି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ନେତାମାନେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ ନକରି ଓଡିଶାର ଜନସାଧାରଣଙ୍କୁ ଭୁଲ ତଥ୍ୟ ଓ ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି । ତେବେ ରାଜନୈତିକ ପତିଆରା ଜାହିର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ବ୍ୟବହାର କରୁଥିବା ବିଜେଡି କହିଛି ।