ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଗଲା ପୁରୀ-ଅହମଦାବାଦ ଏକ୍ସପ୍ରେସ : ଇଞ୍ଜିନରୁ ଅଲଗା ହୋଇ ୧୩ କିଲୋମିଟର ଗଡିଲା ୨୨ ବଗି, କେସିଙ୍ଗାରେ ପଥର ପକାଇ ଅଟକାଇଲେ ଟ୍ରେନ

55

କନକ ବ୍ୟୁରୋ : ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଅହମଦାବାଦ ଏକ୍ସପ୍ରେସ୍ । ଟିଟିଲାଗଡରୁ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିବା ସହ ପଛକୁ ଏକ କିଲୋମିଟର ଆସି କେସିଙ୍ଗା ଷ୍ଟେସନରେ ଅଟକିଥିଲା । ଏହି ଘଟଣାରେ ଟିଟିଲାଗଡ ଷ୍ଟେସନରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ୭ ଜଣ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ଇଞ୍ଜିନ ଡ୍ରାଇଭର, ୩ ଜଣ ବଗି ମରାମତି କର୍ମଚାରୀ, ଜଣେ ଲୋକୋ ପାଇଲଟ ଓ ଆଉ ଜଣେ ଆସିଷ୍ଟାଂଟ ଲୋକୋ ପାଇଲଟ । ଏହାସହ ୩ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ଡିଆରଏମ ।

ଶନିବାର ରାତି ୯ଟା ୩୫ରେ ଅହମଦାବାଦରୁ ପୁରୀ ଅଭିମୁଖେ ଆସୁଥିବା ଟ୍ରେନ ୧୮୪୦୬ ଟିଟିଲାଗଡ଼ ଷ୍ଟେସନରେ ପହଂଚି ଥିଲା। ଟିଟିଲାଗଡ଼ରୁ ଏହି ଟ୍ରେନ ସମ୍ବଲପୁର ଅଭିମୁଖେ ଆସିଥାନ୍ତା। ଏଥିପାଇଁ ଲୋକୋ ପାଇଲଟ ଇଂଜିନ ପରିବର୍ତ୍ତନ କରୁଥିଲେ। କେତେକ ଯାତ୍ରୀ ଖାଇବା ପାଇଁ ଟ୍ରେନରୁ ଓହ୍ଲାଇଥିଲେ। ହେଲେ ଅଚାନକ ରାତି ୧୦ଟା୦୫ରେ ଟ୍ରେନଟି ପଛକୁ କେସିଂଗା ରୁଟରେ ଗଡ଼ିବା ଆରମ୍ଭ କରିଥିଲା। ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। କେହି ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଫୋନ କରିଥିଲେ ତ ଆଉ କେହି ରେଳ ମନ୍ତ୍ରଣାଳୟକୁ ଫୋନ ଆଉ, ଟ୍ଵିଟ କରି ଜଣାଇଥିଲେ। ଟ୍ରେନ ମଧ୍ୟରେ ଅନେକ ଯାତ୍ରୀ କାନ୍ଦବୋବାଳି ଛାଡ଼ି ଥିଲେ। ତେବେ ଟ୍ରେନ ୧୩ କିଲୋମିଟର ଦୂରତାରେ ଥିବା କେସିଙ୍ଗା ଷ୍ଟେସନ ମଧ୍ୟ ଅତିକ୍ରମ କରି ଯାଇଥିଲା। କିଛି ବାଟ ଆଗକୁ ଯିବା ପରେ ଚଢ଼ାଣି ଥିବା ଯୋଗୁଁ ଟ୍ରେନ ଯାଇପାରିନପାରି ପୁଣି କେସିଙ୍ଗା ଷ୍ଟେସନ ଆଡ଼କୁ ଗଡ଼ିଥିଲା। ଯାତ୍ରୀମାନେ ଆହୁରି ଆତଙ୍କିତ ହୋଇପଡ଼ିଥିଲେ। କେସିଙ୍ଗା ଷ୍ଟେସନରେ ଟ୍ରେନ ଅଟକି ଯିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ। ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହିଥିଲେ।

ଏ ସଂକ୍ରାନ୍ତରେ ଡିଆରଏମ ଜୟଦୀପ ଗୁପ୍ତାଙ୍କୁ ପଚାରିବାରୁ ସେ କହିଲେ, ଟ୍ରେନକୁ ମଝିରେ ଅଟକାଇବାକୁ ଚେଷ୍ଟା କରିଥିଲେ ଜାର୍କ ହେବା ଯୋଗୁଁ ଦୁର୍ଘଟଣା ହେବାର ଆଶଙ୍କା ରହିଥିଲା। ଆଗକୁ ଚଢ଼ାଣି ଥିବାରୁ ଟ୍ରେନ ଅଟକିଯିବ ବୋଲି ଆମେ ନିଶ୍ଚିତ ଥିଲୁ। ତଥାପି ରେଳ କର୍ମଚାରୀମାନଙ୍କୁ ସତର୍କ କରି ଦିଆଯାଇଥିଲା। ସବୁ ଲେଭଲ କ୍ରସିଂଗୁଡ଼ିକର ଗେଟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ଟ୍ରେନ୍ ଅଟକିବା ପରେ ଏହାକୁ ଆଣିବା ପାଇଁ କେସିଂଗାକୁ ଏକ ଇଂଜିନ ପଠାଯାଇଥିଲା। ସେହି ଇଂଜିନ ଲଗା ହେବା ପରେ ଟ୍ରେନଟି ପୁଣି ଯାତ୍ରା ଆରମ୍ଭ କରିଛି। ଟିଟିଲାଗଡ଼ ଷ୍ଟେସନରେ କାର୍ଯ୍ୟରତ ସଣ୍ଟିଂ ଷ୍ଟାଫଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଥିଲା। ତେବେ ଏଥିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଏବଂ ଘଟଣା ପାଇଁ ଦାୟୀ ଦୁଇ କର୍ମଚାରୀ କାନ୍ତା ଖାବବେଳ ଓ ଧମେନ୍ଦ୍ର ନିଆଁଲଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ଟିଟିଲାଗଡ଼ରୁ କେସିଙ୍ଗା ଦିଗରେ ଥିବା ଟ୍ରାକ ଗଡ଼ାଣିଆ ହୋଇଥିବା ଏବଂ ସଠିକ ଢଙ୍ଗରେ ସ୍କିଡ଼ ବ୍ରେକ ବ୍ୟବହାର କରାଯାଇନଥିବାରୁ ଟ୍ରେନଟି ଗଡ଼ିଯାଇଥିଲା। କୋଚରେ ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର କରି ଗାଡ଼ିକୁ ଅଟକାଯାଇଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଟିଟିଲାଗଡ଼ରୁ କେସିଙ୍ଗା ଆଡ଼କୁ ଯାଇଥିବା ସିଙ୍ଗଲ ଟ୍ରାକ ରେ ଏହି ସମୟରେ କୌଣସି ଟ୍ରେନ ଆସୁନଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇପାରିଛି। ଏହି ଘଟଣାରେ ଦାୟୀ ସମସ୍ତ ରେଳ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୂର୍ବତଟ ରେଳର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି।