ବନବାସ ସରିଲା! ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ନିଲମ୍ବନ ଉଠାଇଲା ସିଓଏ

1,090

କନକ ବ୍ୟୁରୋ : ପୁଣିଥରେ ପଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଦୁଇ ଭାରତୀୟ ଖେଳାଳିଙ୍କୁ କ୍ଷମା କରିଦେଇଛି ସିଓଏ । ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପରେ ଏହି ଦୁଇ ଖେଳାଳିଙ୍କୁ ନିଲମ୍ବନ କରିଥିଲା ବିସିସିଆଇର ପ୍ରଶାସନିକ କମିଟି । ତେବେ ଦୁଇ ଖେଳାଳିଙ୍କ ଉପରୁ ଏହି ନିଲମ୍ବନ ଉଠାଇଛି ସିଓଏ । ଖୁବଶୀଘ୍ର ଏହି ଦୁଇ ଖେଳାଳି ନ୍ୟୁଜିଲାଣ୍ଡରେ ଭାରତୀୟ ଟିମ୍ ସହ ଯୋଗ ଦେଇପାରନ୍ତି ।

ତେବେ ଆସନ୍ତୁ ଜାଣିବା କ’ଣ କହିଥିଲେ ପାଣ୍ଡ୍ୟା ?
କରନ ଜୋହରଙ୍କ ସହ ଟକ୍ ସୋ’ରେ ସାମିଲ ହୋଇଥିବା ପାଣ୍ଡ୍ୟାଙ୍କ ଠାରୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଏହି ସମୟରେ ନିଜ ରିଲେସନସିପ୍, ଡେଟିଂ ଓ ମହିଳାଙ୍କ ବିଷୟରେ ଟିପ୍ପଣୀ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ସେ । କ୍ଲବକୁ ଗଲେ ମହିଳାଙ୍କ ନାଁ ପଚାରନ୍ତି ନାହିଁ ଏବଂ ଗୋଟିଏ ମ୍ୟାସେଜକୁ ସେ ସବୁ ମହିଳାଙ୍କ ନିକଟକୁ ପଠାନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ଏପରିକି ଯେତେବେଳେ ଜଣେ ମହିଳାଙ୍କ ସହ ସେ ଶାରିରୀକ ସମ୍ପର୍କ ରଖିଥିଲେ ସେତେବେଳେ ସେ ଆସି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଏକଥା ଜଣାଇଥିଲେ ବୋଲି କହିଥିଲେ ପାଣ୍ଡ୍ୟା ।

ମହିଳାଙ୍କ ସର୍ମ୍ପକରେ ଏକ ଟକ୍ ସୋରେ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ପରେ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ନିଲମ୍ବନ କରିଥିଲା ବିସିସିଆଇ ପ୍ରଶାସନିକ ସମିତି । ଏପରିକି ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା । ଯେଉଁଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଥିଲେ ଉଭୟ ଖେଳାଳି । ଏପରିକି ଦୁହିଁଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ସ୍ୱଦେଶ ଫେରାଇ ଅଣାଯାଇଥିଲା ।