ଜଗା-ବଳିଆଙ୍କ ଭଳି ଆଉ ଏକ ଯୋଡାମୁଣ୍ଡ ଶିଶୁଙ୍କର ହେଲା ସଫଳ ଚିକିତ୍ସା ! ଆମେରିକାରେ ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ ଦୁଇ ଶିଶୁ

40

କନକ ବ୍ୟୁରୋ : ସରିଛି ଜଗା-ବଳିଆର ପ୍ରଥମ ପର୍ଯ୍ୟାୟ ଅପରେସନ । ଯୋଡ଼ାମୁଣ୍ଡକୁ ଅଲଗା କରିବା ପାଇଁ ଦେଢ଼ମାସ ପରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ । ଯେତେବେଳେ ଜଗାବଳିଆଙ୍କ ସ୍ୱାସ୍ଥ୍ୟ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଛି, ଠିକ୍ ସେତିକି ବେଳେ ଆମେରିକାରୁ ଆସିଛି ଏଭଳି ଏକ ଖବର । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆଶ୍ୱସ୍ତ ହୋଇଯିବେ ଯେ, ଜଗା-ବଳିଆ ବି ସୁସ୍ଥ ହୋଇ ଘରକୁ ଫେରିବେ ।

ହସ୍ପିଟାଲରୁ ସୁସ୍ଥ ହୋଇ ଫେରୁଥିବା ଏଇ ଦୁଇ ଜଣ ଶିଶୁ ହେଲେ ଆମେରିକା ଭଲହାଲା ସହରର ଜଡାନ୍ ମ୍ୟାକଡୋନାଲ ଏବଂ ଆନିଆସ୍ ମ୍ୟାକଡୋନାଲ । ଜନାଡ୍ ଏବଂ ଆନିଆସଙ୍କ କାହାଣୀ ବି ଠିକ୍ କନ୍ଧମାଳର ଆମ ଜଗା-ବଳିଆଙ୍କ ଭଳି । ଜନ୍ମ ହେଲା ବେଳକୁ ଏହି ଜାଆଁଳା ଶିଶୁଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିଲା । ଯାହା ବାପା-ମା’କୁ ଚିନ୍ତାରେ ପକାଇ ଦେଇଥିଲା । ଏହି ଜାଆଁଳା ଶିଶୁଙ୍କୁ ଠିକ୍ ୧୩ ମାସ ହୋଇଥିବା ବେଳେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ଲେଥେଡାଲ ଶିଶୁ ଡାକ୍ତରଖାନାରେ । ଆଉ ଯୋଡ଼ାମୁଣ୍ଡକୁ ଅଲଗା କରିବା ପାଇଁ ହୋଇଥିଲା ଦୀର୍ଘ ୨୭ ଘଂଟାର ମାରାଥନ ଅପରେସନ ।

ଅପରେସନର ପ୍ରାୟ ୧୦ ମାସ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଡାନ୍ ଏବଂ ଆନିଆସ୍ । ଖିଆପିଆ କରିବା ସହ କୁନି କୁନି ପାଟିରେ ଖନେଇ ଖନେଇ କଥା ବି କହୁଛନ୍ତି ମ୍ୟାକଡୋନାଲ ପରିବାର ଏହି ଦୁଇ କୁନି ଶିଶୁ ।

ଆମେରିକାର ଏହି ଖବର ଓଡ଼ିଶା ଲୋକଙ୍କ ବିଶ୍ୱାସକୁ ଦୁଇଗୁଣିତ କରି ଦେଇଛି । ଠିକ୍ ଜଡାନ୍ ଓ ଆନିଆସଙ୍କ ଭଳି ଆମ ଜଗାବଳିଆ ବି ଏମିତି ସୁସ୍ଥ ହୋଇ ଘରକୁ ଫେରିବା ଆଶା ଆହୁରୀ ମଜବୁତ ହୋଇଛି । ଆଉ ଏସବୁ ଭିତରେ ଅପେକ୍ଷା ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନକୁ, ଯେତେବେଳେ ଯୋଡ଼ାମୁଣ୍ଡକୁ ଅଲଗା କରିବା ପାଇଁ ହେବ ଦ୍ୱିତୀୟ ଅପରେସନ ।