ଯୋଗୀଙ୍କ ଅଗ୍ନିପରୀକ୍ଷା ! ଆଜି ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ପଂଚାୟତ ନିର୍ବାଚନ

24

କନକ ବ୍ୟୁରୋ: ଯୋଗୀଙ୍କ ଅଗ୍ନିପରୀକ୍ଷା । ଆଜି ଉତରପ୍ରଦେଶରେ ଆରମ୍ଭ ହୋଇଛି ପଂଚାୟତ ନିର୍ବାଚନ । ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନର ସାମନା କରୁଛନ୍ତି । ତିନିଟି ପର୍ଯ୍ୟାୟରେ ହେଉଛି ଏହି ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ ଜିଲ୍ଲାରେ ମତଦାନ ଆରମ୍ଭ ହୋଇଛି । ୫ଟି ନଗର ନିଗମ ପାଇଁ ଆଜି ଭୋଟିଂ ହେଉଛି । ମେରଠ, ଆଗ୍ରା, କାନପୁର ଓ ଗୋରଖପୁରରେ ମେୟର ପଦ ପାଇଁ ନିର୍ବାଚନ ହେଉଛି । ଏହା ସହ ପ୍ରଥମ ଥର ପାଇଁ ନଗର ନିଗମ ହୋଇଥିବା ଅଯୋଧ୍ୟାରେ ମଧ୍ୟ ଆଜି ମତଦାନ ହେଉଛି ।

ଯୋଗୀଙ୍କ ପ୍ରଥମ ପରୀକ୍ଷା ହୋଇଥିବାରୁ ଏହି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଭୋଟ୍ ନିଆଯାଉଥିବା ଏହି ୫ଟି ନଗର ନିଗମ ମଧ୍ୟରୁ ୪ଟିରେ ବିଜେପିର କବ୍ଜା ରହିଛି । ଗୋରଖପୁର, କାନପୁର, ମେରଠ ଓ ଆଗ୍ରାରେ ବିଜେପିର ମେୟର ଅଛନ୍ତି । ଅଯୋଧ୍ୟାରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ରାମ ଜନ୍ମଭୂମି ବିବାଦ ନେଇ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଏହି ନଗର ନିଗମ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ନଗର ନିଗମ ସହ ୭୧ ନଗର ପାଳିକା ସହ ୧୫୪ ପଂଚାୟତରେ ମଧ୍ୟ ଆଜି ଭୋଟ୍ ନିଆଯାଉଛି । ୧୬୭୮ ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି ।