ଆସନ୍ତା ୧୭ରେ ପାଟକୁରାରେ ହେବ ହାଇଭୋଲଟେଜ୍ ପ୍ରଚାର : ବିଜେଡ଼ି ପ୍ରାର୍ଥୀ ସାବିତ୍ରୀଙ୍କ ପାଇଁ ରୋଡ଼ ସୋ’ କରିବେ ମୁଖିଆ

235

କନକ ବ୍ୟୁରୋ : ପାଟକୁରା ନିର୍ବାଚନକୁ ଆଉ ମାତ୍ର ୧୦ ଦିନ । ପାଟକୁରାରେ ବିଜୟ ବାନା ଉଡ଼଼ାଇବା ପାଇଁ ଖୋଦ୍ ମୁଖିଆ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନବୀନଙ୍କ ଲୋକପ୍ରିୟତା ଆଧାରରେ ପୁଣି ଥରେ ପାଟକୁରା ଲୋକଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛି ବିଜେଡ଼ି । ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚୟ ବୋଲି ଗେରୁଆ ଦଳର ଟାଣୁଆ ନେତାମାନେ ଦୃଢ଼ୋକ୍ତି କରୁଛନ୍ତି । ଏବେଠାରୁ ବିଜେଡ଼ିର ବିଧାୟକ,ମନ୍ତ୍ରୀ ଓ କିଛି ଟାଣୁଆ ନେତା ପାଟକୁରାରେ ଡେରା ପକାଇଛନ୍ତି । ଦଳର ତୁଙ୍ଗ ନେତାମାନଙ୍କୁ ବିଭିନ୍ନ ପଞ୍ଚାୟତ ଦାୟିତ୍ବ ଦିଆଯାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନର ପ୍ରତିଟି ରଣନୀତି ଉପରେ ନଜର ରଖିଛନ୍ତି । ଲୋକଙ୍କ ମନ ଜିଣିବା ପାଇଁ ଜୋରଦାର କସରତ୍ ଚାଲିଛି ପାଟକୁରାରେ। ପ୍ରତିଦିନ ପାଟକୁରା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଚାଲିଛି ସମୀକ୍ଷା ।

ସାବିତ୍ରୀଙ୍କ ପାଇଁ ରୋଡ଼ ସୋ’ କରିବେ ନବୀନ । ପାଟକୁରାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ହାଇଭୋଲଟେଜ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ମୁଖିଆ । ପଞ୍ଚମଥର ପାଇଁ ସରକାର ଗଢ଼ିବା ପରେ ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡ଼ିର ଗଡ଼ ହୋଇଥିଲେ ମଧ୍ୟ ପାଟକୁରାକୁ ସାଧାରଣ ଭାବେ ନେବାକୁ ଚାହୁଁନାହାନ୍ତି ସୁପ୍ରିମୋ  । ନେତା,ମନ୍ତ୍ରୀ ଡେରା ପକାଇଥିଲେ ମଧ୍ୟ ନିଜେ ପ୍ରଚାର ପାଇଁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ପାଟୁକରାରୁ ବିଜେଡ଼ି ବିଜୟ ବାନା ଉଡ଼ାଇ ଆସୁଛନ୍ତି । ୨୦୧୪ ପରେ ପୁଣି ଥରେ ୨୦୧୯ରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପାଟକୁରା ମଙ୍ଗ ଧରାଇଥିଲେ ନବୀନ । ହେଲେ ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ହୋଇଥିଲା ନିର୍ବାଚନ । ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡ଼ି । ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପ୍ରତି ସାଧାରଣରେ ରହିଛି ଅନୁକମ୍ପା ।

ଅନ୍ୟପଟେ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜୋରସୋରରେ ପ୍ରଚାର ଆରମ୍ଭ କରିସାରିଛନ୍ତି । ବିଜୟଙ୍କୁ ବିଧାନସଭା ପଠାଇବା ପାଇଁ ପାଟକୁରା ଭୋଟର ଚାହୁଁଛନ୍ତି ବୋଲି ବିଜେପି ନେତାମାନେ କହୁଛନ୍ତି । ଅନ୍ୟପଟେ କଂଗ୍ରେସ ବାହୁଡ଼ା ପରଠାରୁ ପାଟକୁରାରେ ପ୍ରଚାର କରିବେ ବୋଲି କହିଛନ୍ତି ପିସିସି ସଭାପତି । ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ଓ ବିଜେପିର ନୂଆ ସମୀକରଣକୁ କଟାକ୍ଷ କରିବା ସହ ସୁସ୍ଥ ଗଣତନ୍ତ୍ର ପାଇଁ କଂଗ୍ରେସକୁ ପାଟକୁରା ଭୋଟର ଭୋଟ ଦେବେ ବୋଲି କହିଛନ୍ତି  ।