କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ! ସାଧାରଣ ବଜେଟରେ ଓଡିଶା ରେଳବାଇ ପାଇଁ ୬୫୦୦ କୋଟି ଅନୁଦାନ ଦେବାକୁ ଦାବି

24

କନକ ବ୍ୟୁରୋ: ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ପାଇଁ ଦାବି ଉପସ୍ଥାପନ କରିଛି ଓଡିଶା । ଏ ବବାଦରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆଗାମୀ ବଜେଟରେ ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଚିଠିରେ ନବୀନ କହିଛନ୍ତି, ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ନବରଙ୍ଗପୁର ଓ ଜୟପୁର ମାଲକାନଗିରି ରେଳପ୍ରକଳ୍ପକୁ ଅଗ୍ରାଧିକାରୀ ଦିଆଯାଉ ।

ଶିଳ୍ପାଂଚଳର ସୁବିଧା ଲାଗି ୪ଟି ସର୍ଟ ଲାଇନ କରିବାକୁ ଦାବି ହୋଇଛି । ଏଗୁଡିକ ହେଲା ତାଳଚେର ଅନୁଗୁଳ ଭାୟା ଏଫସିଆଇ, ପାରାଦୀପ-ଧାମରା , ଚମ୍ପୁଆ-ଆନନ୍ଦପୁର-ଯାଜପୁର ଓ ବରସୁଆଁ-ବଂଶପାଳ ଓ ବଡବିଲା ଆଉ କିଛି ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ବି ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦାବି କରିଛନ୍ତି ।  କିଛି ସ୍ୱତନ୍ତ୍ର ରେଳ ଲାଇନ ଉପରେ ଫୋକସ କରିବାକୁ ବି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏଗୁଡିକ ମଧ୍ୟରେ ପ୍ରମୁଖ ରହିଛି ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ-ନୂଆପଡା ଭାୟା ପଦ୍ମପୁର, ଭଦ୍ରାଚଳମ–ମାଲକାନଗିରି, ତାଳଚେର-ଗୋପାଳପୁର ଏବଂ ଲାଞ୍ଜିଗଡ-ତାଳଚେର ।

ପୁରୀ-କୋଣାର୍କକୁ ଯୋଡିବା ଲାଗି ନିର୍ମାଣ ଖର୍ଚର ୫୦ ପ୍ରତିଶତ ଖର୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ । ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଚଳାଇବାକୁ ଚିଠିରେ ଦାବି କରିଛନ୍ତି ନବୀନ । ସେହିଭଳି ଗଞ୍ଜାମର ଶୀତଳାପଲ୍ଲୀ ୱାଗନ କାରଖାନା ପାଇଁ ଅର୍ଥ ମଞ୍ଜୁର କରିବାକୁ ବି ଦାବି ହୋଇଛି । ୨୦୧୧-୧୨ରେ ଏହି କାରଖାନା ପାଇଁ ଘୋଷଣା ହୋଇଥିଲେ ବି ଅର୍ଥ ବରାଦ ହୋଇନଥିବାରୁ କାରଖାନା ନେଇ ଅନିଶ୍ଚିତତା ଦେଖାଦେଇଛି ।