ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ଯୋଗାଣ ସମୀକ୍ଷା । ୨୦୧୮ ଡିସେମ୍ବର ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ

40

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସହରାଞ୍ଚଳ ଏବଂ ଗ୍ରାମାଞ୍ଚ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗ୍ରାମାଞ୍ଚଳରେ ପାନୀୟ ଜଳ ଭିତ୍ତିଭୂମି ନିର୍ମାଣ ପାଇଁ ବର୍ଷକୁ ଅତି କମରେ ୩ହଜାର କୋଟି ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସହରାଞ୍ଚଳରେ ପାନୀୟ ଜଳ ଯୋଗାଣର ଦୈନିକ ଆବଶ୍ୟକତା ୧ ହଜାର ୮୫ ମିଲିୟନ ଲିଟର ଥିବାବେଳେ ଏହାର ଲକ୍ଷ୍ୟ ଡିସେମ୍ବର ଶେଷ ସୁଦ୍ଧା ପୂରଣ କରିବା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଆଂଶିକ ଭାବେ ପାନୀୟ ଜଳ ସୁବିଧା ଥିବା ସମସ୍ତ ଜନ ବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦୧୪ରୁ ୨୦୧୮ ମଧ୍ୟରେ ୪୪ ହଜାର ୭୬୬ ଆଂଶିକ ସୁବିଧାଥିବା ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ସୁବିଧା ଦିଆଯାଇଛି ।

ଅନ୍ୟପଟେ ପ୍ରତ୍ୟେକ ପଞ୍ଚାୟତର ଅତି କମରେ ଦୁଇଟି ଗାଁକୁ ପାଇପ ପାଣି ପ୍ରକଳ୍ପର ଲକ୍ଷ୍ୟ ପୂରଣ କରିବା ପାଇଁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫ହଜାର ୬୯୦ଟି ପଞ୍ଚାୟତର ଦୁଇଟି ଗାଁକୁ ପାନୀୟ ଜଳର ସୁବିଧା କରାଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇଦେବା ପାଇଁ ଅତି କମରେ ୩ହଜାର କୋଟି ବିନିଯୋଗ କରିବାକୁ ନିର୍ଦ୍ଦେଶ । ୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ନିର୍ଦ୍ଧାରିତ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।