ଟଳିଲା ବନ୍ୟା ଆଶଙ୍କା । ସମ୍ବଲପୁରରେ ପହଞ୍ଚି ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆଜି ହୀରାକୁଦ ଛାଡିବ ପ୍ରଥମ ବନ୍ୟାଜଳ

31

କନକ ବ୍ୟୁରୋ : ଆଜି ସମ୍ବଲପୁରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜମାଦାରପାଲ୍ଲୀରେ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ କ୍ଷୟକ୍ଷତିର ଆକଳନ କରି ଏହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ରମନ୍ତ୍ରୀ । ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ବିଧାୟକ ଉପସ୍ଥିତ ରହିଥିଲେ ।

ତେବେ ଏସବୁ ଭିତରେ ଆଉ ମାତ୍ର କିଛି ସମୟ ପରେ ହୀରାକୁଦ ଛାଡିବ ପ୍ରଥମ ବନ୍ୟାଜଳ । ଆଜି ୧୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ଫଳରେ ଆଜି ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପରମ୍ପରା ଅନୁଯାୟୀ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ । ତେବେ ପରିସ୍ଥିତିକୁ ଦେଖି ଗେଟ୍ ଖୋଲିବା ସଂଖ୍ୟା ବଢିପାରେ ବୋଲି ମଧ୍ୟ ସୂଚନା ମିଳିଛି । ବର୍ତମାନ ହୀରାକୁଦର ଜଳପତନ ରହିଛି ୬୧୭ ଦଶମିକ ୭୮ ଫୁଟ । ଜଳଭଣ୍ଡାର ମଧ୍ୟକୁ ବର୍ତମାନ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳପତନ କମାଇବା ପାଇଁ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବ ବୋଲି ଅପର ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ମୁଣ୍ଡଳି ଦେଇ ୭ ଦଶମିକ ୫ ଲକ୍ଷ ଘନଫୁଟ ଜଳ ନିଷ୍କାସନ ହେବ । ହୀରାକୁଦ ଗେଟ୍ ଖୋଲିବା ଦ୍ୱାରା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଫଳରେ ତଳିଆ ଅଂଚଳକୁ ସତର୍କ ସୂଚନା ଜାରି କରାଯାଇଛି ।

ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ । ଏପରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରମୁଖ ନଦୀଗୁଡିକର ଜଳସ୍ତର କମୁଥିବା ନେଇ ସୂଚନା ଦିଆଯାଇଛି । ଗତ ୨୪ ଘଂଟା ମଧ୍ୟରେ ବହୁତ କମ୍ ବର୍ଷା ହୋଇଛି । ଯେଉଁଥି ପାଇଁ ପରିସ୍ଥିତିରେ ସୁଧାର ଆସିଛି । ତଳମୁଣ୍ଡରେ ଜଳପ୍ରବାହ କମିଛି । ବନ୍ୟା ଯୋଗୁ ରାଜ୍ୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।