ବରଗଡର ରୋଷ ପୁରୀରେ ପ୍ରତିଫଳନ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ

53

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବରଗଡର ରୋଷ ପୁରୀରେ ପ୍ରତିଫଳନ । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଜୋରଦାର ବିରୋଧ । ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗଦେବା ଲାଗି ନବୀନ ପଟ୍ଟନାୟକ ପୁରୀ ଗଲାବେଳେ ଆଜି ଜୋରଦାର ପ୍ରତିବାଦ କରିଛି ବିଜେପି । ପୂର୍ବ ନିଷ୍ପତିକ୍ରମେ ଶତାଧିକ ବିଜେପି କର୍ମୀ ନବୀନଙ୍କ ପୂରୀ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ଏପରିକି ବିଜେପି ଓ ବିଜେଡି କର୍ମୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାର ପ୍ରତିଶୋଧ ନେବାକୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ବିଜେପି । କଳାପତାକା ଧରି ବିଜେପି କର୍ମୀ ପ୍ରତିବାଦ କରିବା ସହ ସରକାର ବିରୋଧୀ ନାରା ଦେଇଛନ୍ତି ।

ବିଜେପି କର୍ମୀଙ୍କ ସହ କଂଗ୍ରେସ ବି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବାବେଳେ ହଠାତ ମୁହାଁମୁହିଁ ହୋଇଛନ୍ତି ବିଜେଡି କର୍ମୀ ଓ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କ ସହ ଧସ୍ତାଧସ୍ତି ଓ ମାଡପିଟ କରିଛନ୍ତି ବିଜେଡି କର୍ମୀ । ଏକ ପ୍ରକାର ରାଜନୈତିକ ରଣକ୍ଷେତ୍ରରେ ପରିଣତ ହୋଇଛି ପୁରୀ ରାଜରାସ୍ତା । ଏହି ଘଟଣାରେ ୫୦ରୁ ଅଧିକ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ପୁଲିସ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ପରେ ଏହାଥିଲା ବିଜେପିର ଜବାବ୍ । ପୂର୍ବରୁ ଏନେଇ ମଧ୍ୟ ବିଜେପି ଚେତାଇ ଦେଇଥିଲା । ଏଣିକି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟ ସରକାରଙ୍କ ଯେକୌଣସି ମନ୍ତ୍ରୀ ତାଂକୁ ଜୋରଦାର ବିରୋଧ କରାଯିବ ବୋଲି ଘୋଷଣା କରିଥିଲା ବିଜେପି ।