ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍ । ବ୍ରହ୍ମପୁରରେ ୪୯୦ କୋଟିର ବୃହତ ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ, ଖୋର୍ଦ୍ଧାରେ ଏସଏଚଜି ଗ୍ରୁପକୁ ଦେଲେ ସିଡ ମନି ।

63

କନକ ବ୍ୟୁରୋ : ବ୍ରହ୍ମପୁରରୁ ଦୂର ହେବ ଜଳକଷ୍ଟ । ଲୋକାର୍ପିତ ହେଲା ବୃହତ୍ ଜାନିବାଲି ଜଳ ପ୍ରକଳ୍ପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୯୦ କୋଟି ଟଙ୍କାର ଏହି ମେଗା ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହା ଜରିଆରେ ୧୬ ପଂଚାୟତର ପ୍ରାୟ ୫୩ ଟି ଗାଁ ଉପକୃତ ହେବେ । ସେହିପରି ଖୋର୍ଧାରେ ବିଶାଳ ମିଶନ ଶକ୍ତି ସମାବେଶରେ ନୂଆ ଏସଏଚଜି ଗ୍ରୁପ୍ ଗୁଡିକୁ ସିଡ୍ ମନି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରହ୍ମପୁରରୁ ଦୂର ହେବ ଜଳକଷ୍ଟ । ଲୋକାର୍ପିତ ହେଲା ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୯୦ କୋଟି ଟଙ୍କା ବ୍ୟୟର ପ୍ରକଳ୍ପକୁ ରବିବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଗା ଜଳ ପ୍ରକଳ୍ପ ଜରିଆରେ ବ୍ରହ୍ମପୁରର ୧୬ ଟି ପଂଚାୟତର ୫୩ ଟି ଗାଁର ଲକ୍ଷାଧିକ ଲୋକଙ୍କ ଜଳକଷ୍ଟ ଦୂର ହେବ । ଏହା ସହ ଧରାକୋଟ, ଆସିକା, ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଏଥିରେ ବି ଉପକୃତ ହେବ । ଖଲ୍ଲିକୋଟ ଷ୍ଟାଡ଼ିୟମରେ ଆୟୋଜିତ ଆମ ସହର ଆମ ଉନ୍ନତି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନତି ଯୋଜନାର ରାଜ୍ୟର ୧୧୪ଟି ସହରାଂଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ନବୀନ ।

ସେହିପରି ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତିର ମହାସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ଆୟୋଜିତ ବିଶାଳ ସମାବେଶରେ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଯୋଗ ଦେଇଥିଲେ । ଏହି ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନୂଆ ମହିଳା ସଦସ୍ୟଙ୍କୁ ୧୫ ହଜାର ଟଙ୍କାର ସିଡମନି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ମହାସମାବେଶରେ ଯୋଗ ଦେଇଥିଲେ  ।