ଦିଲ୍ଲୀ ଦରବାରରେ ପୁଣି ଉଠିବ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗ ! ସଂସଦରେ ଜୋରଦାର ଦାବି କରିବ ବିଜେଡ଼ି

43

କନକ ବ୍ୟୁରୋ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୋଦି ସରକାରଙ୍କ ଠାରୁ ତେଲୁଗୁ ଦେଶମ୍ ପାର୍ଟି ମେଂଟ ଭାଙ୍ଗିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଓଡିଶା ସରକାର ପୁଣି ଥରେ ସେହି ଦାବି ଉଠାଇବାକୁ ଯାଉଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି, ଓଡିଶା ପୂର୍ବରୁ ମଧ୍ୟ ଏହି ଦାବି ଉଠାଇଥିଲା ଏବଂ ଆଗକୁ ମଧ୍ୟ ଏହି ଦାବି ଉଠାଇବାକୁ ଯାଉଛି ।

ଦିଲ୍ଲୀ ଦରବାରରେ ପୁଣି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବ ଓଡିଶା । ସମାନ ଦାବିରେ ଟିଡିପି ଓ ବିଜେପି ମଧ୍ୟରେ ବିବାଦ ଭିତରେ ବିଜେଡି ସରକାର ଉଠାଇବାକୁ ଯାଉଛନ୍ତି ଏହି ଦାବି । ଦୀର୍ଘବର୍ଷଧରି ଓଡିଶା ସରକାର ସ୍ୱତନ୍ତ୍ର ପାହ୍ୟା ଦାବି କରିଆସୁଥିିବାବେଳେ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର । ତେଣୁ ଆଗକୁ ମୋଦି ଓ ବିଜେପି ସହ ଲଢେଇ ପାଇଁ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି ନବୀନ ।

ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ ସମାନ ଢଙ୍ଗରେ ଦାବି ଉଠାଇବେ ଓଡିଶା ସରକାର । ନବୀନ କହିଛନ୍ତି ଓଡିଶାକୁ ବାରମ୍ବାର ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ଦାବି କରିଆସିଛନ୍ତି ଏବଂ ଆଗକୁ ମଧ୍ୟ ଏହାକୁ ଜୋରଦାର କରିବେ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେଡି, ରାଜ୍ୟରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ବିଜେପିକୁ କାଉଂଟର କରିବା ଲାଗି ଏହାକୁ ପ୍ରସଙ୍ଗ କରି ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡିଶାର ଦାବି ଓ କେନ୍ଦ୍ରର ଅଣଦେଖା ଭିତରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ସ୍ୱତନ୍ତ୍ର ପାହ୍ୟା ମିଳିଲେ ଲାଭ କଣ ହେବ ?

ସ୍ୱତନ୍ତ୍ର ପାହ୍ୟା ରାଜ୍ୟକୁ ଫାଇଦା
– କେନ୍ଦ୍ର ତାର ଯୋଜନା ଅଟକଳର ୩୦ ପ୍ରତିଶତ ଏହି ରାଜ୍ୟ ପାଇଁ ଖର୍ଚ୍ଚ କରିଥାଏ
– କେନ୍ଦ୍ରୀୟ ଅନୁଦାନରେ ଚାଲୁଥିବା ଯୋଜନା ଗୁଡିକ ପାଇଁ ୯୦ ପ୍ରତିଶତ ଖର୍ଚ୍ଚ କରିଥାଏ
– ସେହିପରି ଅନୁଦାନ ଖର୍ଚ୍ଚ ହୋଇନପାରିଲେ ଏହା ପରବର୍ତି ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ
– ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ଟିକସ ରିହାତି ଦେଇଥାଏ କେନ୍ଦ୍ର ସରକାର

ଆର୍ଥିକ କ୍ଷେତ୍ରରେ ଅନୁନ୍ନତ ଏବଂ ଭୌଗଳିକ ଦୃଷ୍ଟିକୋଣରୁ ବିକାଶ ପାଇଁ କଷ୍ଟସାଧ୍ୟ ରାଜ୍ୟଗୁଡିକୁ ସାଧାରଣତଃ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇଥାଏ । ୧୯୬୭ ପରଠାରୁ ଏପର୍ଯ୍ୟନ୍ତ ଉତର-ପୂର୍ବାଂଚଳ ଓ ପାହଡ ପର୍ବତ ଘେରା ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରାଯାଇଛି ।

କେନ୍ଦ୍ରର କହିବା ହେଲା ୧୪ତମ ଅର୍ଥ କମିସନ ସୁପାରିସ ଆଧାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଇହେବନି, କେବଳ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇପାରିବେ ସରକାର । କେନ୍ଦ୍ରରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ୟୁପିଏ ଅପେକ୍ଷା ଓଡିଶାକୁ ଅଧିକ ଅର୍ଥ ମିଳିଛି ବୋଲି ବିଜେପି ଦାବି କରିଛି । ଗୋଟିଏ ପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ଏନଡିଏରୁ ଟିଡିପି ଓହରିଯିବା ଭଳି ପରିସ୍ଥିତି ଆଉ ଏପଟେ ପୁଣି ସେହି ଦାବିରେ ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସୁତ ହେଉଛନ୍ତି ବିଜେଡି ସରକାର ।