କୁନ୍ଦୁଲି ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ ! ପୋଲିସର ବିବାଦୀୟ ବୟାନର ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

47

କନକ ବ୍ୟୁରୋ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗ ଆଜି ଭିନ୍ନ ମୋଡ ନେଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରାଇମବ୍ରାଂଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁଯାୟୀ ଏହି ଘଟଣାର ତଦନ୍ତ ଜଣେ ଜିଲ୍ଲା ଜଜ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଫଳରେ ପୁରା ମାମଲା ଆଜି ଏକ ଭିନ୍ନ ମୋଡ ନେଇଛି ।

ଗତକାଲି ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଥିଲେ, ନାବାଳିକାଙ୍କ ସହ କୈାଣସି ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ଘଟଣା ଘଟିନାହିଁ । ପୋଲିସର ତଦନ୍ତ ଆଉ ମେଡିକାଲ ରିପୋର୍ଟ ଆଧାରରରେ ଏହି ତଥ୍ୟ ସେ ପାଇଥିବା ଗଣମାଧ୍ୟମ ସାମ୍ନାରେ କହିଥିଲେ । ଏହାକୁ ସମର୍ଥନ ମଧ୍ୟ କରିଥିଲେ କୋରାପୁଟ ଏସପି । ତେବେ ଅକଟୋବର ୧୦ ତାରିଖରେ ଘଟିଥିବା ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ମୁଖ୍ୟମନ୍ତ୍ରୀ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋରାପୁଟ କୁନ୍ଦୁଲିର ନାବାଳିକା ଜଣକ ଅଭିଯୋଗ କରିଥିଲେ, ତାଙ୍କ ସହ ଯବାନଙ୍କ ପୋଷାକରେ ଥାଇ ୪ ଜଣ ଲୋକ ଦୁଷ୍କର୍ମ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଘଟଣାର ପାଖାପାଖି ମାସେ ପରେ ଆହୁରି ବିବାଦୀୟ ସ୍ଥିତି ସୃଷ୍ଟି ହେବା ପରେ ମାମଲାର ହେଉଛି ବିଚାର ବିଭାଗୀୟ ତଦନ୍ତ । ଆଉ ପ୍ରଶ୍ନ ଉଠୁଛି, ପୁରା ସତ ସାମ୍ନାକୁ ଆସିପାରିବ ତ ?