ଏସୀୟ କ୍ରୀଡ଼ା ୨୦୧୮: ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିବା ଦୂତି ଚାନ୍ଦଙ୍କୁ ଦେଢ଼ କୋଟି ଅର୍ଥରାଶି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

42

କନକ ବ୍ୟୁରୋ: ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୧୮ ପ୍ରତିଯୋଗିତାରେ ଗତକାଲି ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି ଚାନ୍ଦ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଶୁଭେଚ୍ଛା ଜଣାଇ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡୋନେସିଆ ଜାକର୍ତ୍ତାରେ ଖେଳାଯାଉଥିବା ୨୦୧୮ ଏସୀୟ କ୍ରୀଡା ପ୍ରତିଯୋଗିତାରେ ଗତାକାଲି ଦୂତି ରୌପ୍ୟ ପଦକ ହାସଲ କରିଛନ୍ତି । ୧୧.୩୨ ସେକେଣ୍ଡରେ ଓଡିଆ ଝିଅ ଦୂତି ଚାନ୍ଦ ୧୦୦ ମିଟରର ଦୂରତାକୁ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ ।

ବିଗତ ୨୦ ବର୍ଷ ପରେ ଜଣେ ଓଡିଆ ଝିଅ ଭାବେ ଏହି ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା କୃତିତ୍ୱ ହାସଲ କରିଛନ୍ତି ଦୂତୀ ଚାନ୍ଦ । ୧୯୯୮ ମସିହା ଏସିଆନ ଗେମ୍ସରେ ଓଡିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେବେ ଗତକାଲି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଦୂତୀଙ୍କ ବିଜୟ ସାରା ଦେଶବାସୀଙ୍କୁ ଗୌରାବନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତେବେ ବର୍ତ୍ତମାନ ଭାରତରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଦୌଡାଳୀ ମାନେ ରହିଛନ୍ତି । ସେମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଗତବର୍ଷ ୨୨ତମ ଏସୀଆନ ଆଥଲେଟିକ୍ ଚାମ୍ପିୟନସିପ୍ ଆୟୋଜନ କରାଯାଇଥିଲା । ଯାହାର ସଫଳ ରୂପାୟନ ସାରା ବିଶ୍ୱବାସୀ ଦେଖିଥିଲେ । ତେବେ ଓଡିଶାର ଆଥଲେଟ୍ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ରାଜ୍ୟସ୍ତରୀୟ ଆଥଲେଟିକ୍ ଏକାଡେମୀ କରିବାକୁ ନିଷ୍ପତି ନେଇଛନ୍ତି ।