ନୀତି ଆୟୋଗ ବୈଠକରେ ଯୋଗଦେଲେନି ମୁଖ୍ୟମନ୍ତ୍ରୀ : ଜୁଏଲ କହିଲେ ସମ୍ବିଧାନ ନିୟମର ଉଲ୍ଲଂଘନ, କଂଗ୍ରେସ କହିଲା ରାଜ୍ୟ ଦାବି ଉଠାଇବାକୁ ପ୍ରସ୍ତୁତ ନୁହନ୍ତି ନବୀନ

21

କନକ ବ୍ୟୁରୋ : ନୀତି ଆୟୋଗ ମିଟିଂରେ ଯୋଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି, ଗତ ବର୍ଷ ନବୀନ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ । ତେବେ ଚଳିତ ବର୍ଷ କଣ ଅସୁବିଧା ହେଲା ଯେ ନବୀନ ବୈଠକକୁ ଗଲେନି ବୋଲି ନିରଂଜନ ପ୍ରଶ୍ନ କରିଛନ୍ତି । ସଂଘୀୟ ବ୍ୟବସ୍ଥା ମଧ୍ୟରେ ନବୀନ ନଯିବା ଉଚିତ ହୋଇନଥିବା ସେ କହିଛନ୍ତି । ରାଜ୍ୟ ପ୍ରସଙ୍ଗ ଉପସ୍ଥାପନା ପାଇଁ ନୀତି ଆୟୋଗ ଦେଶର ସର୍ବୋଚ୍ଚ ଫୋରମ୍ ହୋଇଥିବା ବେଳେ ନବୀନ ଓଡ଼ିଶାର ଦାବି କେଉଁ ମଂଚରେ ଉଠାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କେନ୍ଦ୍ର ବିରୋଧୀ ହୋଇଥିବା ସତ୍ୱେ ସେ ବୈଠକରେ ଯୋଗ ଦେଇଛନ୍ତି, ତେଣୁ ନବୀନ ମଧ୍ୟ ଯୋଗ ଦେବା ଉଚିତ ଥିବା ନିରଂଜନ କହିଛନ୍ତି ।

ଉପଯୁକ୍ତ ଫୋରମରେ ରାଜ୍ୟର ଦାବି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ନ ଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆରୋପ ଲଗାଇଛନ୍ତି । ନୀତି ଆୟୋଗ ମିଟିଂରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ନେଇ ଜୁଏଲ ଓରାମ କହିଛନ୍ତି ଏହା ସମ୍ବିଧାନ ନିୟମର ଉଲ୍ଲଂଘନ । ରାଜ୍ୟ ସ୍ୱାର୍ଥ ଅପେକ୍ଷା ନବୀନ ଦଳ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ରାଜ୍ୟରେ ନକ୍ସଲ ଯେଭଳି ଭୋଟ ବର୍ଜନ କରନ୍ତି ନବୀନ ସେଭଳି ବୈଠକକୁ ବର୍ଜନ କରିଥିବା ଜୁଏଲ୍ କହିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଏହି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ । ତେବେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗରେ ବିରୋଧୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ସୂଚନାଯୋଗ୍ୟ ଆଜି ଦିଲ୍ଲୀରେ ବସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା କମିଟି ବୈଠକ । ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ଗୁଡ଼ିକର ଦାବି ଗୁଡ଼ିକ ଉପରେ ଗମ୍ଭୀରତାର ସହ ବିଚାର କରାଯିବ । ସେ କହିଛନ୍ତି, ନୀତି ଆୟୋଗ ଏପରି ଏକ ମଂଚ ଯେଉଁଠୁ ଦେଶ ଐତିହାସିକ ପରିବର୍ତନ ଅଭିମୁଖେ ଅଗ୍ରସର ହୋଇଥାଏ । ଗତ କିଛି ଦିନ ତଳେ ବନ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ଥ ରାଜ୍ୟଗୁଡ଼ିକୁ ପ୍ରଥମେ ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ସାମିଲ ହୋଇଛନ୍ତି ।

ତେବେ ନୀତିଆୟୋଗ ବୈଠକରେ ସାମିଲ ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକରେ ରାଜ୍ୟ ପ୍ରତିନିଧିତ୍ୱ ନ କରିବା ସୁସ୍ଥ ପରମ୍ପରା ନୁହେଁ ବୋଲି ବିରୋଧୀ କହିଛନ୍ତି । ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ସ୍ୱାର୍ଥ ଓ ଆବଶ୍ୟକତା ପ୍ରସଙ୍ଗରେ ଆଲୋଚନା ହେବ । ଏହାଛଡା କୃଷକ ଆୟରେ କିଭଳି ବୃଦ୍ଧି ହେବ, ଆୟୁଷ୍ମାନ ଭାରତ, ଜାତୀୟ ପୃଷ୍ଟି ମିଶନ, ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଉପରେ ଆଲୋଚନା ହେବ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ, ସଡକ ପରିବହନ ମନ୍ତ୍ରୀ ଓ କୃଷିମନ୍ତ୍ରୀ ସାମିଲ ହେବେ ।