ଚଢିବ ହକି ଫିଭର ! ଅମିତାଭଙ୍କ ସହ କେବିସିରେ ନଜର ଆସିବେ ନବୀନ ।

271

କନକ ବ୍ୟୁରୋ: ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ରାତି ୯ ଟାରେ ହେବାକୁଥିବା କେବିସି ପ୍ରୋଗ୍ରାମ ଜରିଆରେ ବିଗ୍ ବି’ଙ୍କ ସହ ନଜର ଆସିବେ ନବୀନ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କେବିସି କାର୍ଯ୍ୟକ୍ରମରେ ନଜର ଆସିବେ । କ’ଣ ଏହା ପଛର କାରଣ ଏଭଳି ଅନେକ ଦ୍ୱନ୍ଦ ଆପଣଙ୍କ ମନକୁ ଆସିବା ସ୍ୱାଭାବିକ ।

ଏବେ ହକି ବିଶ୍ୱକପ ପ୍ରଚାର ପ୍ରସାର ପାଇଁ ନବୀନ ଅଣ୍ଟା ଭିଡ଼ିଛନ୍ତି । ଯାହାର ଆଉ ଏକ ପାଦ କେବିସି ଜରିଆରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଏବେ ଓଡ଼ିଶା ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହକି ବିଶ୍ୱକପ କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେବ । ତେଣୁ ଓଡିଶା ସମେତ  ପୂରା ଦେଶରେ ଏବେ  ଚଢିଛି ହକି ଫିଭର । ତେବେ ଏସବୁ ଭିତରେ ହକି ବିଶ୍ୱକପକୁ ପ୍ରମୋଟ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର  । ତେଣୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଶୋ’ କେବିସିରେ ନଜର ଆସିବେ ନବୀନ । ଭାରତୀୟ ହକି ଟିମ୍ କୁ ନେଇ ଆସନ୍ତା କାଲି କେବିସିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ । ଯେଉଁଥିରେ ବିଶ୍ୱକପ ଅୟୋଜନ ନେଇ କିଭଳି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ତାହା ବର୍ଣ୍ଣନା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୁଚନା ମିଳିଛି । ତେବେ ଅମିତାଭ ବଚ୍ଚନଙ୍କ ଦ୍ୱାରା ସମସ୍ତ ଦେଶବାସୀଙ୍କୁ ଭାରତୀୟ ହକି ଟିମଙ୍କୁ ଉତ୍ସାହିତ କରିବାକୁ ନବୀନଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରସଂଶା କରିଛନ୍ତି ।

ତେବେ ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପକୁ ସଫଳ କରିବାକୁ କ୍ୟାମ୍ପେନର ସାଥ୍ ଦେଇଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । କେବିସି ସୋ’ରେ ଭାରତୀୟ ହକି ଟିମର ସଦସ୍ୟଙ୍କ ସହ ହକି ବିଶ୍ୱକପକୁ ନେଇ ଏକ ସ୍ୱତନ୍ତ୍ର ଉପସ୍ଥାପନା ଆସନ୍ତା କାଲି ଦେଖିବେ ସାରା ଦେଶବାସୀ । ଭାରତୀୟ ହକି ଟିମ୍ ଯେତେବେଳେ ପୁଣିଥରେ ବିଶ୍ୱର ଶ୍ରେଷ୍ଠ ୫ଟି ଦଳରେ ସ୍ଥାନ ପାଇଛି ସେତେବେଳେ ଦେଶବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଏବଂ ହକି ପ୍ରତି ଓଡିଶାବାସୀଙ୍କ ଭଲପାଇବା କଥା ଏହି ସୋ’ରେ ବଖାଣିବେ ଅମିତାଭ ।

କେବିସିରେ ହେବାକୁଥିବା ଏହି ସ୍ୱତନ୍ତ୍ର ଉପସ୍ଥାପନା ନେଇ ଗତ କିଛିଦିନ ପୂର୍ବରୁ ୫୦ ସେକେଣ୍ଡର ପ୍ରମୋ ଭିଡିଓ ଟେଲିଭିଜନ ଏବଂ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ତେବେ ଏହି କାର୍ଯ୍ୟକ୍ରମର ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ କ୍ରିକେଟ୍ ଜଗତର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ହକି ବିଶ୍ୱକପ ଆୟୋଜନ ଏବଂ ହକି ଟିମକୁ ଶୁଭେଚ୍ଛା ଜଣାଇବା ଦେଖିବାକୁ ମିଳିବ । ହକି ବିଶ୍ୱକପକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ନବୀନ ଯେଉଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହକି ବିଶ୍ୱକପକୁ ନେଇ ଜୋରଦାର କ୍ୟାମ୍ପେନ କରାଯାଉଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ହକି ପ୍ରେମୀ ।