ପୂରା ହେଲା ମାନସିକ, ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତାଙ୍କ ଆଶିଷ ନେବେ ନବୀନ । ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବେ ବିଜେଡି ସୁପ୍ରିମୋ ।

422

କନକ ବ୍ୟୁରୋ : ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତାଙ୍କ ନିକଟରେ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ାରେ ବିଜେଡିର ବିଜୟ ପାଇଁ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ବିଜେଡି ସୁପ୍ରିମୋ । ଆଉ କେନ୍ଦ୍ରାପଡାରେ ବିଜେଡି ବିପୁଳ ବିଜୟ ହାସଲ କରିବା ପରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡା ଗସ୍ତରେ ଯାଉଛନ୍ତି ନବୀନ । ନିର୍ବାଚନରେ ଜିତିବା ପାଇଁ ଭଗବାନଙ୍କ ନିକଟରେ ମାନସିକ କରିବା ରାଜନେତାଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ କେନ୍ଦ୍ରାପଡାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ମାନସିକ କରିବା ରାଜ୍ୟ ରାଜନୀତି ପାଇଁ ଏକ ରୋଚକ ଖବର ପାଲଟିଛି । ଆଉ ଶ୍ରୀବଳଦେବଜୀଉଙ୍କ ନିକଟରେ ନବୀନ ମାନସିକ କରିଥିବା କଥାକୁ ଖୋଦ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରାପଡାର ନବ ନିର୍ବାଚିତ ସାଂସଦ ଅନୁଭବ ମହାନ୍ତି ।

ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଶ୍ରୀବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଉପରେ ପୂରା ରାଜ୍ୟର ନଜର ରହିଥିଲା । ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ଟୀକା ପିନ୍ଧାଇବାକୁ କେନ୍ଦ୍ରାପଡାରେ ଡେରା ପକାଇଥିଲେ ବଡ ବଡ ନେତା । ଏପରିକି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାରାଥନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରାପଡାରେ ଭୋଟଗ୍ରହଣ ହେବାର ୨ ଦିନ ପୂର୍ବରୁ ତୁଳସୀକ୍ଷେତ୍ରରେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନବୀନ । ଏପ୍ରିଲ ୨୬ ଓ ୨୭ ଦୁଇଦିନ ଧରି କେନ୍ଦ୍ରାପଡାରେ ମାରାଥନ ପ୍ରଚାର ସହ ରୋଡ ସୋ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଏହି କେନ୍ଦ୍ରାପଡା ଗସ୍ତ ସମୟରେ ହିଁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିଲେ ନବୀନ । ବେଶ କିଛି ସମୟ ମନ୍ଦିରରେ ରହିବା ସହ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏବେ ଏହା ଉପରୁ ପରଦା ଉଠାଇଛନ୍ତି ଅନୁଭବ ।

କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପରେ ଓ ନିଜର ମାନସିକ ପୂରା ହେବା ପରେ ଆଜି ପ୍ରଥମଥର ପାଇଁ ବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀ ଗତ ୨୦ବର୍ଷରେ କେବେ ଶ୍ରୀଜିଉଙ୍କୁ ଦର୍ଶନ କରିନଥିଲେ । ପ୍ରଥମେ ବୈଜୟନ୍ତଙ୍କୁ ହରାଇବାକୁ ଯାଇଥିଲେ ଏବେ ବିଜୟଙ୍କୁ ହରାଇବାକୁ ଯାଉଛନ୍ତି । ନିର୍ବାଚନ ନଥିଲେ ନବୀନ ଯାଇନଥାନ୍ତେ । ଏହା ନୂତନତ୍ୱ । ବଳଦେବ ମହାପ୍ରଭୁ ନବୀନଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ବେଳେବେଳେ ଦର୍ଶନ କରନ୍ତୁ ।

ସେହିଭଳି ବିଜେପି କହିଛି, ମୁଖ୍ୟମନ୍ତ୍ରୀ ଭୟ ଆତଙ୍କରେ ଅଛନ୍ତି । ମିଥ୍ୟା ତଥ୍ୟ ଦେଇ ବାତ୍ୟା ହୋଇଛି କହି ନିର୍ବାଚନ ଘୁଂଚାଇଥିଲେ । ନିର୍ବାଚନ କମିଶନ ଏ ମିଥ୍ୟାକୁ ଉଦଘାଟିତ କଲେ । ପାଟକୁରା ନିର୍ବାଚନ ଘୁଂଚାଇବା ପାଇଁ ସେ ଦିଲ୍ଲୀ ଯାଇଥିଲେ । କିନ୍ତୁ ନିର୍ବାଚନ କମିଶନ ଏହାକୁ ଅଗ୍ରାହ୍ୟ କରିଥିଲେ । ଠାକୁର ଦର୍ଶନ କରନ୍ତୁ । ୧୯ବର୍ଷ ହେଲା ଯାଇନଥିଲେ । ଏବେ ଯାଆନ୍ତୁ । କିନ୍ତୁ ଏଥର ବଳଦେବଜୀଉ ତାଙ୍କୁ ଆଶୀର୍ବାଦ କରିବେନି । କାରଣ ଲୋକେ ଏଥର ବିଜେପିକୁ ନିଶ୍ଚୟ ଜିତାଇବେ । ବୈଜୟନ୍ତ ବାବୁଙ୍କ ସମୟରେ ଲୋକଙ୍କ ମନରେ ଅଲଗା ଭାବନା ଥିଲା । ପ୍ରଥମ ଥରପାଇଁ ଏହି ନିର୍ବାଚନରେ ଆମେ କଂଗ୍ରେସର ବିକଳ୍ପ ହୋଇଥିଲୁ ।

ତେବେ ବିଜେପି ଓ କଂଗ୍ରେସର ଏହି ବୟାନ ଉପରେ ଜବାବ ରଖିଛି ବିଜେଡି । କେନ୍ଦ୍ରାପଡା ସାଂସଦ ଅନୁଭବ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୂର୍ବରୁ ଯାହା କହିଛନ୍ତି ତାହା କରନ୍ତି । କେନ୍ଦ୍ରାପଡା ଆସୁଥିବାରୁ ତାଙ୍କୁ ଧନ୍ୟବାଦ । ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମାନସିକ ଥିଲା ତାହା ପୂରଣ କରିବା ପାଇଁ ଯାଉଛନ୍ତି । ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ନେବେ ନବୀନ । କେବଳ ନିର୍ବାଚନ ପ୍ରଚାର ସମୟରେ ନୁହେଁ ବରଂ ନିର୍ବାଚନ ପରେ ମଧ୍ୟ ନବୀନ କେନ୍ଦ୍ରାପଡା ସହ ରହିଛନ୍ତି । ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି କେନ୍ଦ୍ରାପଡା ବାସୀଙ୍କ ଭଲପାଇବା କେତେ ତାହା ସମସ୍ତେ ଜାଣିଛନ୍ତି । ଅନ୍ୟ କାହାର ବି ପ୍ରଭାବ ଏଠି ପଡିବନି । ପାଟକୁରା ନିର୍ବାଚନରେ ବିଜେଡି ନିଶ୍ଚୟ ଜିତିବ ବୋଲି କହିଛନ୍ତି ଅନୁଭବ ।