ବାଜପାୟୀ-ନବୀନଙ୍କ ଭିତରେ ନିବିଡ ସଂପର୍କ! ଜାଣନ୍ତୁ ପୁରୁଣା ଦିନର ପୁରୁଣା କଥା

52

ଅଟଳ ବିହାରୀ ବାଜପାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ । ନବୀନ ପଟ୍ଟନାୟକ, ଓଡିଶା ମୁଖ୍ୟମନ୍ତ୍ରୀ । ରାଜନୀତିର ଦୁଇ ଲୋକପ୍ରିୟ ଚେହେରା । ଆଉ ଉଭୟଙ୍କ ଭିତରେ ସାକ୍ଷାତକୁ ନେଇ ଜୋର ଚର୍ଚ୍ଚା । ହେଲେ ଗତ କିଛି ବର୍ଷ ଭିତରେ ଅନେକ ଥର ଦିଲ୍ଲୀ ଯାଇଥିବା ନବୀନ, କେବେ ବାଜପାୟୀଙ୍କୁ ଭେଟି ନଥିଲେ । ହେଲେ ଆଜି କାହିଁକି, ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
କୁହାଯାଉଛି, ରାଷ୍ଟ୍ରପତି ନିର୍ବାଚନ ଆଗରୁ ଏହା ହୋଇପାରେ ନବୀନଙ୍କ ଗୋଟିଚାଳନା । ୨୯ ସାଂସଦ ଆଉ ୧୧୭ ବିଧାୟକଙ୍କ ସହ କୁଆଡକୁ ଢଳିବେ ଓଡିଶା ମୁଖ୍ୟମନ୍ତ୍ରୀ, ତାକୁ ନେଇ ତର୍ଜମା ଚାଲିଥିବା ବେଳେ ବାଜପାୟୀଙ୍କୁ ଭେଟିବା ରାଜନୀତିର ପାଣୀପାଗକୁ ସରଗରମ କରିଛି ।

ଏମିତିରେ ଉଭୟ ନେତାଙ୍କ ମଧ୍ୟରେ ସଂପର୍କ ବେଶ ନିବିଡ । ନୂଆ ନୂଆ ରାଜନୀତିକୁ ଆସିଥିବା ନବୀନ ଆସ୍କାରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବାପରେ ଅଟଳ ବିହାରୀ ବାଜପାୟୀଙ୍କ ଅଧୀନରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏପରିକି ଅଣ ବିଜେପି ନେତା ଭାବେ ବାଜପାୟୀଙ୍କ ଖୁବ ପସନ୍ଦ ଥିଲେ ନବୀନ ।

ନବୀନ ଓ ବାଜପାୟୀଙ୍କ ଭିତରେ ରାଜନୈତିକ ସଂପର୍କ ଏତେ ନିବିଡ ଥିଲା ଯେ, ବିନା ଅଟଳଙ୍କ ଚେହେରାରେ ଏନଡିଏର ଭବିଷ୍ୟତ କିଛି ନୁହେଁ ବୋଲି ଏସବୁ ନେତା ଯୁକ୍ତି ବାଢିଥିଲେ । ସବୁବେଳେ ବାଜପାୟୀଙ୍କ ପଛରେ ଦୃଢ ଭାବେ ଠିଆ ହୋଇଥିଲେ ।
ବାଜପାୟୀଙ୍କ ପୂର୍ବତନ ମିଡିଆ ଆଡଭାଇଜର ଏ ସଂକ୍ରାନ୍ତରେ ଏକଦା ଚର୍ଚ୍ଚିତ କଥା ସାମ୍ନାକୁ ଆଣିଥିଲେ । ୧୩ ମାସରେ ଯେତେବେଳେ ବାଜପାୟୀ ସରକାର ମାତ୍ର ଗୋଟିଏ ଭୋଟରେ ଆସ୍ଥା ହରାଇଲେ ସେତେବେଳେ ଅନେକ ନେତା କହିଥିଲେ ବାଜପାୟୀଙ୍କୁ ବଦଳାଇ ସେଠି ବିଜେପିର ଆଉ ଜଣେ ଚେହେରା ସାମ୍ନାକୁ ଆଣିବାକୁ । ହେଲେ ସେହି ସମୟରେ ନବୀନ କହିଥିଲେ ବିନା ବାଜପାୟୀରେ ଏନଡିଏ କିଛି ନୁହଁ । ଏପରିକି ଏଥିରୁ ସେମାନେ ଓହରି ଯାଇପାରିବେ ।

ଓଡିଶା ଗସ୍ତରେ ଆସି ଆଠଗଡରେ ବାଜପାୟୀ ନବୀନଙ୍କ ସଂକ୍ରାନ୍ତରେ କରିଥିଲେ ସବୁଠାରୁ ବଡ ଘୋଷଣା । ଯାହା ରାଜ୍ୟ ରାଜନୀତି ସହ ନବୀନଙ୍କ ପାଇଁ ଆଣିଥିଲା ନୂଆ ପରିଚୟ । ସେତେବେଳେ କେନ୍ଦ୍ର ଖଣିମନ୍ତ୍ରୀ ଥାନ୍ତି ନବୀନ । ଆଉ ଆଠଗଡରେ ବାଜପାୟୀ ଘୋଷଣା କରିଥିଲେ, ବିଜେପି-ବିଜେଡି ମେଂଟରେ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ । ଆଉ ସେହି ଦିନଠାରୁ ରାଜ୍ୟରେ ଶାସନ ଭାର ରହିଛି ନବୀନଙ୍କ ମୁଠାରେ ।

ହେଲେ ଏହାରି ଭିତରେ ରାଜନୀତିରେ ଅନେକ କିଛି ବଦଳିଛି । ବାଜପାୟୀ ବିଜେପି ହୋଇଛି ମୋଦି ବିଜେପି । ହେଲେ ନବୀନ ଆଜି ବି ରାଜନୀତିରେ ବେଶ କାଟତି ରହିଛି ବିଜେଡି ସୁପ୍ରିମୋଙ୍କର । ବାଜପାୟୀ ଆଜି ଅସୁସ୍ଥ । ନବୀନ ତାଙ୍କୁ ଭେଟିବା ପରେ ରାଜନୀତି କେଉଁ ମୋଡ ନେଉଛି, ତା ଉପରେ ନଜର ।