ନବୀନ- ଧର୍ମେନ୍ଦ୍ର ଭେଟ ଫିତାକଟାରେ ଶେଷ ! ସମ୍ବଲପୁରରେ ପାସପୋର୍ଟ ସେବାକେନ୍ଦ୍ର ଉଦଘାଟନରେ ଅଭାବନୀୟ ଦୃଶ୍ୟ

33

କନକ ବ୍ୟୁରୋ : ଗୋଟିଏ ମଂଚରେ ଦୁଇ ହେବିୱେଟ୍ । ଜଣେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଉ ଜଣେ ମୋଦି ସରକାରଙ୍କ ଅତି ବିଶ୍ୱସ୍ତ କେନ୍ଦ୍ରମନ୍ତ୍ରୀ । ଜଣଙ୍କ ହାତରେ ୧୭ ବର୍ଷର ଶାସନ ଆଉ ଜଣେ ପଂଚାୟତ ଯୁଦ୍ଧର ହିରୋ । ସ୍ଥାନ-ସମ୍ବଲପୁର । କାର୍ଯ୍ୟକ୍ରମ- ପାସପୋର୍ଟ ଅଫିସ ଉଦଘାଟନ । କେନ୍ଦ୍ର ସରକାରଙ୍କ ଯୋଜନାକୁ ଉଦଘାଟନ କଲେ ଓଡିଶାର ମୁଖ୍ୟମନ୍ତ୍ରୀ । ପାଖରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ କେହି କାହାକୁ ଚାହିଁଲେନି । ପଦୁଟିଏ କଥା ବି ହେଲେନି । ହଁ, ଖାଲି ନମସ୍କାର ଆଉ ପ୍ରତି ନମସ୍କାର । ଏତିକିରେ ସରିଗଲା ମିଳନ ପର୍ବ । ତରବରିଆ ଭାବେ ଉଦଘାଟନ ସାରି ଫେରିଗଲେ ନବୀନ । ମଂଚ ଉପରକୁ ବି ଗଲେନି ।

ପାସପୋର୍ଟ ଅଫିସ ଉଦଘାଟନରୁ ଫିତା କାଟିବା ଯାଏଁ । ପାଖେ ପାଖେ ଠିଆ ହେଲେ ନବୀନ ଆଉ ଧର୍ମେନ୍ଦ୍ର । ସମସ୍ତେ ଅନାଇ ରହିଥିଲେ ଦୁଇ ନେତା ମଂଚ ଉପରେ ବସିବେ, କଥା ହେବେ । ଓଡିଶାର ବିକାଶ କଥା କହିବେ । କେନ୍ଦ୍ରର ଯୋଜନା ବିଷୟରେ କହିବେ । ହେଲେ ସେଭଳି କିଛି ହେଲାନି ।

କୁହାଯାଉଛି, ଧର୍ମେନ୍ଦ୍ର ଅତିଥି ଥିବାରୁ ସଭାରେ ବସିବାକୁ ଚାହିଁଲେନି ମୁଖ୍ୟମନ୍ତ୍ରୀ । ତେଣୁ ଗସ୍ତ କାର୍ଯ୍ୟକ୍ରମ ସୀମିତ କରିଦେଲେ । ସେପଟେ ଅନ୍ୟ ଏକ କାର୍ଯ୍ୟକ୍ରମରେ ନବୀନ ମୁଖ୍ୟ ଅତିଥି ଥିବାରୁ ସେଠାକୁ ଯିବାକୁ ମନା କରିଦେଲେ ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-