ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମର୍ଥନ ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି । ରବିବାର ଘରୁ ବାହାରନ୍ତୁନି ଓଡିଶାବାସୀ

3,451

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ । ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦୃଢ ସମର୍ଥନ କରିଛନ୍ତି ନବୀନ । ଆସନ୍ତା ୨୨ ତାରିଖ ରବିବାର ସାରା ଦେଶ ଜନତା କର୍ଫ୍ୟୁ ପାଳିବାକୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ଆଉ ସବୁ ରାଜ୍ୟ ସରକାରଙ୍କୁ ଏହାର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ମୋଦିଙ୍କ ଆହ୍ୱାନକୁ ସମର୍ଥନ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ କରୋନା ମୁକାବିଲା ନେଇ ୨୪ ଘଣ୍ଟିଆ ରିପୋର୍ଟ ଦେଲା ବେଳେ ସୁବ୍ରତ ମୁଖ୍ୟମନ୍ତ୍ରୀ ସମର୍ଥନ କଥା କହିଥିଲେ । ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ସକାଳ ୭ରୁ ରାତି ୯ଟା ଯାଏଁ ଘରୁ ନବାହାରିବାକୁ ଆହ୍ୱାନ ଦେଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ତାହାକୁ ସମର୍ଥନ ଜଣାଇବାକୁ ଯାଇ କହିଛନ୍ତି କି, ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି । କରୋନା ସମଗ୍ର ମାନବ ଜାତି ପାଇଁ ଏକ ବଡ ଆହ୍ୱାନ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ମାନି ସମସ୍ତେ ରବିବାର ଘରେ ରହିବାକୁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ସେପଟେ ‘ବିଶ୍ୱ ମହାମାରୀ’ କରୋନାର ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନେସିଂ ବୈଠକରେ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ତେବେ ଏଥିରେ କରୋନାର ସ୍ଥିତି ଓ ତାହାର ମୁକାବିଲା ନେଇ ସମୀକ୍ଷା କରାଯାଇଛି ।

ତେବେ ଏହି ଭିଡିଓ କନଫରେନ୍ସିଂରେ କେନ୍ଦ୍ରର କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନବୀନ ରଖିଛନ୍ତି କିଛି ପ୍ରସ୍ତାବ । କରୋନା ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢାଯାଉ ବୋଲି ନବୀନ ପ୍ରସ୍ତାବ ଦେଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଏହି ଟେଷ୍ଟ ମାଗଣାରେ କରାଯାଉ ବୋଲି କହିଛନ୍ତି ।


ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରହୁ । ମନରେଗାରେ ୫୦ ଦିନର ପାରିଶ୍ରମିକ ଦିଆଯାଉ । ଚାଷୀଙ୍କୁ ପିଏମ କିଷାନରେ ଅତିରିକ୍ତ କିସ୍ତି ଦିଆଯାଉ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଉ । ନିର୍ମାଣ ଶ୍ରମିକ ଓ ଅନ୍ୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ ଏବଂ ରାଜ୍ୟକୁ ଅଗ୍ରୀମ ଆକାରରେ ଅନୁଦାନ ଦିଆଯାଉ ବୋଲି ନବୀନ ପ୍ରସ୍ତାବ ରଖିଛନ୍ତି ।

ସେପଟେ କରୋନା ମୁକାବିଲା ନେଇ କେନ୍ଦ୍ରର କିଛି ନିଷ୍ପତ୍ତିକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆନ୍ତର୍ଜାତୀୟ ଗମନାଗମନ ଉପରେ ରୋକ ଲାଗିବା ନିଷ୍ପତ୍ତି ପ୍ରଶଂସନୀୟ ବୋଲି ନବୀନ କହିଥିବା ବେଳେ ଏସଡିଆରଏଫକୁ ପ୍ରସ୍ତୁତ ରଖିବା ପ୍ରଶଂସନୀୟ । ସେହିପରି ଇରାନ ଓ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନବୀନ ପ୍ରଶଂସା କରି କହିଛନ୍ତି ।