ଆଜିଠାରୁ ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ : ସ୍ୱାଧୀନତା ଦିବସରେ ଘୋଷଣା ପରେ କ୍ୟାପିଟାଲ ହସ୍ପିଟାଲରେ ଭଦଘାଟନ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପଡେସ୍କ

51

କନକ ବ୍ୟୁରୋ: ସ୍ୱାଧୀନତା ଦିବସରେ ଘୋଷଣା ପରେ କ୍ୟାପିଟାଲ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପ ଡେସ୍କ ଭଦଘାଟନ କରିଛନ୍ତି । ଏହି ଯୋଜନାରେ ପଞ୍ଜିକୃତ ଚାଷୀ ପରିବାର ସମସ୍ତ ସବିଧା ପାଇବେ । ଏହି ଯୋଜନାରେ ହିତାଧିକାରୀ ପରିବାର ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବା ସହ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇବେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ପରିବାର ସଂଖ୍ୟା ୬୯ ଲକ୍ଷ ୬୯ ହଜାର ୬୭୨କୁ ବୃଦ୍ଧି ପାଇବ । ମହିଳାଙ୍କୁ ଏହି ଯୋଜନାରେ ୭ ଲକ୍ଷ ଯାଏଁ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ମିଳିବ । ଗାଁ ଗଣ୍ଡାରେ ବର୍ଷକୁ ୫୦ ହଜାର ଟଙ୍କା ଓ ସହରାଂଚଳରେ ୬୦ ହଜାରରୁ କମ ଆୟ ଥିବା ପରିବାର ଏହି ଯୋଜନାରେ ସୁବିଧା ପାଇବେ । ଏଥିପାଇଁ ସେମାନଙ୍କୁ ଆୟ ପ୍ରମାଣପତ୍ର ଦେବାକୁ ପଡିବ ।

ପୂର୍ବରୁ ଚାଲୁ ରହିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସବିୱାଇ) ଓ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେଓ୍ଵାଇ)ର ହିତାଧିକାରୀମାନେ ହିଁ ନୂଆ ଯୋଜନାର ହିତାଧିକାରୀ ହୋଇଛନ୍ତି । କେବଳ ସେହିମାନେ ବିଏସକେୱାଇର ସୁବିଧା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ନୂଆ କାର୍ଡ ହିତାଧିକାରୀଙ୍କୁ ମିଳିବ ନାହିଁ । ସେମାନେ ପୂର୍ବରୁ ପାଇଥିବା ଆରଏସବିୱାଇ ଓ ବିକେକେଓ୍ଵାଇ କାର୍ଡ ଦେଖାଇ ନୂଆ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ମହିଳାମାନଙ୍କ କ୍ଷେତ୍ରରେ ଏହି ସୀମା ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି। ଆରଏସବିୱାଇରେ ପଞ୍ଜୀକୃତ ୪୪ ଲକ୍ଷ ୮ ହଜାର ୭୦ ହିତାଧିକାରୀ ଓ ବିକେକେଓ୍ଵାଇରେ ପଞ୍ଜୀକୃତ ୨୫ ଲକ୍ଷ ୬୧ ହଜାର ୬୦୨ଙ୍କୁ ମିଶାଇ ସମୁଦାୟ ୬୯ଲକ୍ଷ ୬୯ହଜାର ୬୭୨ଜଣ ହିତାଧିକାରୀ ବିକେକେଓ୍ଵାଇରେ ସାମିଲ୍ ହୋଇଛନ୍ତି । ଏହି ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ପତ୍ର ବଣ୍ଟନ ଆରମ୍ଭ ହୋଇଛି। ସାତ ଦିନ ଭିତରେ ପତ୍ର ବଣ୍ଟନ ସାରିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି ।