ସାଂସଦଙ୍କୁ ପରଖୁ ଥିଲେ କି ନବୀନ ? ଆନୁଗତ୍ୟ ପରୀକ୍ଷାରେ କିଏ ପାସ୍ କିଏ ଫେଲ୍ ?

48

କନକ ବ୍ୟୁରୋ: ପାର୍ଲାମେଂଟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏକ ଘରିକିଆ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଲୋକସଭାରେ ବୈଜୟନ୍ତଙ୍କର ବସିବା ସ୍ଥାନକୁ ବଦଳାଯାଉ । ବିଜେଡି ସଦସ୍ୟମାନଙ୍କୁ ଯେଉଁସ୍ଥାନ ଦିଆଯାଇଛି । ସେଠାରୁ ବୈଜୟନ୍ତଙ୍କର ବସିବା ସ୍ଥାନକୁ ଦୁରେଇ ଦିଆଯାଉ । କିଛି ଏଭଳି ମର୍ମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ।

ଖାଲି ଏତିକି ନୁହେଁ ଗୃହ ବ୍ୟପାର ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟିରୁ, ବୈଜୟନ୍ତଙ୍କୁ ହଟାଇବା ପାଇଁ ମଧ୍ୟ ବିଜେଡି ଦାବି କରିଛି । ଦଳ କହିଛି- ତାଙ୍କୁ ନିଲମ୍ବିତ କରାଯାଇଥିବାରୁ ଏହି ପଦରୁ ବୈଜୟନ୍ତଙ୍କୁ ଅବ୍ୟାହତି ଦିଆଯାଉ । ବୈଜୟନ୍ତଙ୍କ ସ୍ଥାନରେ ଦଳ ଆଉ ଜଣେ ସଦସ୍ୟଙ୍କୁ କମିଟିରେ ସ୍ଥାନ ଦେବ । ୨୪ ଜାନୁୟାରୀ ୨୦୧୮ରେ ଦଳ ବିରୋଧୀ କାମ ପାଇଁ ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିଲେ । ଏପରିକି ତାଙ୍କ ପ୍ରାଥମିକ ସଦସ୍ୟ ପଦକୁ ମଧ୍ୟ ରଦ୍ଧ କରାଯାଇଥିଲା । ଏହାରି ଆଧାରରେ ବୈଜୟନ୍ତଙ୍କ ବସିବା ସ୍ଥାନ ପରିବର୍ତନ ଏବଂ ଷ୍ଟାଣ୍ଡିଂ କମିଟିରୁ ହଟାଇବା ପାଇଁ ଦଳ ଦାବି କରିଛି । ଏହା ପୂର୍ବରୁ ନବୀନ, ବିଜେଡି ସାଂସଦଙ୍କ ଅନୁଗତ୍ୟ ପରୀକ୍ଷା କରୁଥିବା ନେଇ ଚର୍ଚ୍ଚା ହେଉଥିଲା ।

ଠିକ୍ ଦୁଇ ଦିନ ତଳେ ଦଳୀୟ ସାଂସଦଙ୍କୁ ଡାକି ବିଭିନ୍ନ ସଂସଦୀୟ କମିଟିରୁ ଇସ୍ତଫା ଦେବା ପାଇଁ କହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଆଜି ନିଜ କାର୍ଡ ଖୋଲିଛନ୍ତି । ମତ ବଦଳାଇ କହିଛନ୍ତି, ଯେଉଁ ସାଂସଦ, ଯେଉଁ କମିଟିରେ ଥିଲେ, ସେମିତି ରହିବେ । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ଦଳୀୟ ସୁପ୍ରିମୋଙ୍କ ସହ ଆଲୋଚନା ପରେ ବୈଠକରେ ଉପସ୍ଥିତ ଥିବା ସାଂସଦମାନେ, ଯେଉଁମାନେ ବିଭିନ୍ନ ସଂସଦୀୟ କମିଟିରେ ଥିଲେ ସେମାନେ ଇସ୍ତଫା ଦେଇଥିଲେ । ଏମିତି କି ଉପସ୍ଥିତ ନଥିବା ସାଂସଦମାନେ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଇସ୍ତଫା ଦେଇଥିଲେ ।

ବଡ଼ କଥା ହେଉଛି-ଦୁଇଟି ସଂସଦୀୟ କମିଟିରେ ଅଛନ୍ତି ବୈଜୟନ୍ତ । ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟି ଓ କର୍ପୋରେଟ୍ ବ୍ୟାପାର କନ୍ସଲ୍ଟିଭ୍ କମିଟିରେ ସଦସ୍ୟ ଅଛନ୍ତି ବୈଜୟନ୍ତ । ହେଲେ ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ ବି କୌଣସି ନିଷ୍ପତି ନେଇନଥିଲେ ବୈଜୟନ୍ତ ।  ୪ ବର୍ଷ ପରେ ସଂସଦୀୟ କମିଟିରେ ପରିବର୍ତ୍ତନର କଥା ଉଠାଇଥିଲେ ବିଜେଡି ସୁପ୍ରିମୋ । ଯାହା ସେତେବେଳେ ସମସ୍ତଙ୍କୁ ବିସ୍ମିତ କରିଥିଲା । ନିଷ୍ପତ୍ତି ପଛରେ କଣ ଉଦ୍ଦେଶ୍ୟ ଥିଲା, ଏହାର ସମୀକ୍ଷା ଭିତରେ ନବୀନ ଯେ ସାଂସଦଙ୍କ ଏକ ରହସ୍ୟମୟ ପରୀକ୍ଷା ନେଉଥିଲେ ତାହା ସ୍ପଷ୍ଟ ହେଉଛି । ଯେଉଁଥିରେ ଦଳ ପ୍ରତି ଆନୁଗତ୍ୟ ରଖିଥିବା ସାଂସଦ ପାଶ୍ ହୋଇଛନ୍ତି ଆଉ ଅନ୍ୟମାନେ ଫେଲ ହୋଇଛନ୍ତି ବୋଲି ଦଳୀୟ ମହଲକୁ ବାର୍ତ୍ତାଆସିଥିବା ଚର୍ଚ୍ଚା ହେଉଛି ।