ବାବୁଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନବୀନ ! ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଆହ୍ୱାନ

0

କନକ ବ୍ୟୁରୋ: ଓଡ଼ିଶା ସେହି ପୁରୁଣା ଓ ଗଣତାନ୍ତ୍ରିକ ଧାରାରେ ଆଉ ନାହିଁ । ଲୋକମାନେ ସର୍ବଶ୍ରେଷ୍ଠ। ସେମାନଙ୍କୁ ଦୃଷ୍ଟିରେ ରଖି ଅଫିସରମାନେ କାର୍ଯ୍ୟ କରନ୍ତୁ । ସବୁ ଭଲ କାମକୁ ସ୍ୱୀକୃତି ମିଳିବ। ପୁରସ୍କୃତ ବି କରାଯିବ । ମୁଁ ନିଜେ ଅଧିକାରୀମାନଙ୍କ ସହିତ ଦୃଢ ଭାବେ ରହିବି । ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଭିଜନ ଓଡ଼ିଶା ସଂପର୍କିତ ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଫରେନସିଂ ଯୋଗେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ସବୁ ପଦାଧିକାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତ୍ର ଫୁଙ୍କିଛନ୍ତି । ଆହ୍ଵାନ ଦେଇଛନ୍ତି ଯେ, ଟିମ୍ ଓଡ଼ିଶା ଏ ମଧ୍ୟରେ ବହୁତ କିଛି କରିଛି । ଆଉ ବହୁତ କିଛି କରିବାକୁ ପଡ଼ିବ । ରାଜ୍ୟ ସରକାର ଚାହାନ୍ତି ଯେ ଏକ ଆଧୁନିକ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ହେବା ଆବଶ୍ୟକ । ଏଣୁ ଟିମ୍ ଓଡ଼ିଶା ରାଜ୍ୟକୁ ସୁଶାସନର ପରବର୍ତ୍ତି ସ୍ତରକୁ ନେବା ଦରକାର ।

ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୦ ମସିହାରେ ଯେତେବେଳେ ସରକାର ଦାୟିତ୍ୱକୁ ଆସିଲା, ସେତେବେଳେ ଏକ ନିରାଶାପୂର୍ଣ୍ଣ ପରିସ୍ଥିତିରେ ଗତି କରୁଥିଲା । ରାଜ୍ୟରେ ଅର୍ଥନୀତି ବିପର୍ଯ୍ୟସ୍ତ ଥିଲା । ଦାରିଦ୍ର୍ୟ ଯୋଗୁଁ ରାଜ୍ୟ ଏକ କଠିନ ପରିସ୍ଥିତି ମଧ୍ୟରେ ଥିଲା । ଭିତ୍ତିଭୂମିର ଅବସ୍ଥା ବି ଶୋଚନୀୟ ଥିଲା । ପ୍ରାୟ ସବୁ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ଓଡ଼ିଶା ସର୍ବନିମ୍ନ ସ୍ଥାନରେ ଥିଲା । କୃଷି ଉତ୍ପାଦନ ଯଥେଷ୍ଟ ନ ଥିବାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ଖାଦ୍ୟ ପଦାର୍ଥ ଆମଦାନୀ କରୁଥିଲା ।

ପ୍ରାକ୍ ପ୍ରସ୍ତୁତିର ଅଭାବ ଯୋଗୁଁ ମହାବାତ୍ୟା ମୁକାବିଲାରେ ବିଫଳତା ଯୋଗୁଁ ଓଡ଼ିଶା ଅନ୍ତର୍ଜାତୀୟ ଗଣମାଧ୍ୟମ ଶିରୋନାମାରେ ରହିଥିଲା । ମାତ୍ର ଏ ମଧ୍ୟରେ ଟିମ୍ ଓ୍ଵାର୍କ, ପ୍ରତିବଦ୍ଧତା ଓ ଜନ କଲ୍ୟାଣକାରୀ ନୀତି ଯୋଗୁଁ ଗତ ୧୭ ବର୍ଷରେ ରାଜ୍ୟ ଅନେକ ବାଟ ଆସିଛି ଓ ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମଧ୍ୟ ହାସଲ କରିଛି । ଦାରିଦ୍ର୍ୟ ହ୍ରାସ ଠାରୁ ଆରମ୍ଭ କରି ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସବୁସ୍ତରରେ ରାଜ୍ୟ ସରକାରଙ୍କୁ ସ୍ୱୀକୃତି ମିଳିଛି । ହେଲେ ଆହୁରି ଅନେକ କିଛି କରିବାକୁ ବାକି ଅଛି । ରାଜ୍ୟକୁ ଏପରି ସ୍ଥାନକୁ ନେବାକୁ ହେବ, ଯେଉଁଠାରେ ପହଞ୍ଚିବା ପାଇଁ ଅନ୍ୟ ରାଜ୍ୟମାନେ ଓଡ଼ିଶାକୁ ଅନୁକରଣ କରିବେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରେଷ୍ଠ ପ୍ରଶାସକ ଭାବେ ମିଳିଥିବା ସ୍ୱୀକୃତି ଟିମ୍ ଓଡ଼ିଶାର କଠିନ ପରିଶ୍ରମ ଓ ତ୍ୟାଗର ଏକ ପ୍ରତିଫଳନ । ଯେଉଁ ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି, କେନ୍ଦ୍ର ସରକାରଙ୍କ ଠାରୁ ମଧ୍ୟ କିଛି ସହାୟତା ପାଉନାହିଁ, ସେପରି ଏକ ରାଜ୍ୟ ପାଇଁ ଏହି ପୁରସ୍କାର ଏକ ଛୋଟ ସଫଳତା ନୁହେଁ ।

ଅଫିସରମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବିନା ଓଡ଼ିଶା ଏପର୍ଯ୍ୟନ୍ତ ଆସିପାରିନଥାନ୍ତା ବୋଲି ଖୋଲାଖୋଲି ପ୍ରଶଂସା କରି ନବୀନ କହିଥିଲେ, ଏବେ ବି ଓଡ଼ିଶା ଆଗରେ ଅନେକ ଆହ୍ଵାନ ଅଛି । ସମସ୍ତେ ନିଜ ନିଜର ଟିମଙ୍କୁ ଉପଯୁକ୍ତ ନେତୃତ୍ୱ ଦେବା ଉଚିତ୍ ଓ ଯେଉଁଠାରେ ଟିମ୍ରେ ପ୍ରତ୍ୟେକ ସଦସ୍ୟ ବିନା ଭୟରେ ସବୁ ଯୋଜନା ଓ ଉପଯୁକ୍ତ କାର୍ଯ୍ୟକ୍ରମ ସଫଳ ଭାବେ କାର୍ଯ୍ୟକାରୀ କରିପାରିବ । ଜନକଲ୍ୟାଣ ପାଇଁ ପ୍ରଶାସନକୁ କିଭଳି ପରିବର୍ତ୍ତନ କରିବାକୁ ହେବ, ତାହା ଟିମ୍ ଓଡ଼ିଶା ସଫଳତା ଭାବେ ବିଶ୍ୱ ଆଗରେ ପ୍ରତିପାଦିତ କରିବା ଦରକାର । ଜୀବନଯାପନ କରିବା ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ଟିମ୍ ଓଡ଼ିଶା ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଆହ୍ଵାନ ଦେଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିସନ ଆର୍ ବାଲକ୍ରିଷ୍ଣନ୍ ପ୍ରମୁଖ ଉଦବୋଧନ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରସଚିବ, ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ, ରାଜସ୍ୱ କମିସନର, ଜୋନ୍ ଆଇଜି, ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନସିଂ ଜରିଆରେ ଭାଗ ନେଇଥିଲେ ।

Comments are closed.