‘କାଳିଆ’ ଯୋଜନା ପୂର୍ବରୁ କାଳିଆ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

211

କନକ ବ୍ୟୁରୋ: ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଂଟିବା ପାଇଁ ପୁରୀରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଉ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ନବୀନ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

ଉଲ୍ଲେଖ ଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀକ୍ଷେତ୍ର ପୁରୀରୁ ‘କାଳିଆ’ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରିବେ । ଆଜି ଠାରୁ ରାଜ୍ୟର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଦିଆଯିବ । ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଦ ପଡ଼ିଥିବା ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁଣି ଆବେଦନ କରିପାରିବେ ।