କେନ୍ଦ୍ର ସରକାରଙ୍କୁ ନବୀନଙ୍କ ୯ଟି ପ୍ରଶ୍ନ: ଜାଣନ୍ତୁ ପ୍ରତିଷ୍ଠା ଦିବସରେ କେଉଁ ୯ଟି ପ୍ରଶ୍ନ କଲେ ବିଜେଡି ସୁପ୍ରିମୋ

806

କନକ ବ୍ୟୁରୋ: ଜବାବ ମାଗୁଛି ଓଡିଶା ।  ବିଜେଡିର ୨୧ ତମ  ପ୍ରତିଷ୍ଠା ଦିବସରେ  କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।  ଆଉ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁପ୍ରିମୋ ନବୀନ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି ଜବାବ । ସାଢେ ଚାରି ବର୍ଷ ଭିତରେ ଓଡିଶା ପାଇଁ କଣ କରିଛନ୍ତି କେନ୍ଦ୍ର ସରକାର ତାର ଜବାବ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ହିଁ କେନ୍ଦ୍ରକୁ ନଅଟି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

• ରେଳବାଇର  ଉନ୍ନତି ହେଉନାହିଁ ।  ରାଜ୍ୟ ସରକାର କେନ୍ଦ୍ରକୁ ଜମି ଦେଲେ ବି କାମ ଆଗକୁ ବଢୁନାହିଁ । ଆଗମୀ ଦିନରେ ପିଲା କେବଳ ଇତିହାସରେ  ଖୋର୍ଦ୍ଦା-ବଲାଙ୍ଗୀର କଥା ପଢିବେ  ।

• ଖଣି ଟଙ୍କା ନେଇ କେନ୍ଦ୍ର ପ୍ରଦୂଷଣ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି । ୨୦୧୫ରେ  ଖଣି ରୟାଲଟିର  ରିଭିଜନ ହେବା କଥା । ଏଯାଏଁ କାହିଁକି ହେଲା ନାହିଁ  ବୋଲି ବିଜେଡି ସୁପ୍ରିମୋ ପ୍ରଶ୍ନ କରିଛନ୍ତି ।

• ସେହିଭଳି ଅର୍ଥନୈତିକ ସାଧୀନତା ବି ମାଗିଛନ୍ତି ନବୀନ । ସେ କହିଛନ୍ତି, ଆମକୁ ସ୍ୱତନ୍ତ୍ର  କ୍ୟାଟେଗରୀ ଦରକାର ନାହିଁ । ଆମ ଅର୍ଥରେ ଆମେ  ଚଳିପାରିବୁ ବୋଲି ରୋକଠୋକ ଶୁଣାଇଛନ୍ତି ନବୀନ ।

• ସେହିପରି ଚାଷୀଙ୍କୁ ସଠିକ୍ ସମୟରେ ସହାୟତା କି ଉଚିତ୍ ମୂଲ୍ୟ ମିଳିପାରୁନାହିଁ । କାରଣ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କଲେନାହିଁ ।

• ଉଜ୍ଜ୍ୱଳା ଯୋଜନାରେ ବି କେନ୍ଦ୍ରକୁ ସମାଲୋଚନା କରିବାକୁ ଭୁଲି ନାହାଁନ୍ତି ନବୀନ । ନବୀନ କହିଛନ୍ତି କି, ମାଆ ମାଉସୀମାନଙ୍କ ପାଇଁ କେନ୍ଦ୍ର ସରକାର ଉଜ୍ଜ୍ୱଳ ଯୋଜନା ଆରମ୍ଭ କରିଛନ୍ତି ହେଲେ ଏହାର କେବଳ ପ୍ରଚାର ବଢିଛି  ସତ କିନ୍ତୁ ଦର ବୃଦ୍ଧି ପାଇଁ ରିଫିଲିଂ କରାଯାଉନି ।

• ସେହିଭଳି ଏସି-ଏସଟିଙ୍କୁ ଷ୍ଟାଇପେଣ୍ଡ ପ୍ରସଙ୍ଗ ବି ଉଠାଇଛନ୍ତି ନବୀନ । ନବୀନ କହିଛନ୍ତି କି, ଦୁଇ ବର୍ଷ ହେଲା କେନ୍ଦ୍ର ଏସସି/ଏସଟି ପିଲାଙ୍କ ଷ୍ଟାଇପେଣ୍ଡ ଦେଉନାହାଁନ୍ତି ।

• ମହାନଦୀ , ପୋଲାଭରମ  ପ୍ରସଙ୍ଗରେ ଆମେ କୋର୍ଟକୁ ଯାଇଛୁ , ରାଜ୍ୟର ହକ୍ ପାଇଁ ଆମର ଲଢେଇ ଜାରି ରହିଛି ।

• ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ଏହି ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି। ଉପକୂଳ ରାଜପଥ ଅବସ୍ଥା କ’ଣ ହେବ ତାହା ଜଣା ନାହିଁ।

• ବିମୂଦ୍ରାକରଣ ପାଇଁ ଲୋକେ ହଇରାଣ ହେଲେ କିନ୍ତୁ ଏଯାଏଁ ମଧ୍ୟ ରାଜ୍ୟର ଅଧିକାଂଶ ଜାଗାରେ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ସଠିକ୍ ଭାବରେ ମିଳିପାରୁ ନାହିଁ ।

ନବୀନ ସିଧା ଅଭିଯୋଗ କରିଛନ୍ତି, ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି । ଏଥି ସହିତ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଢେ ଚାରିବର୍ଷରେ ୧୮ଲକ୍ଷ ପକ୍କା ଘର ନର୍ମାଣ, ବସ୍ତି ବାସିନ୍ଦାଙ୍କୁ ଜମି ସ୍ୱତ୍ତ୍ୱାଧିକାର, କୃଷକଙ୍କ ରୋଜଗାର ବୃଦ୍ଧି, ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ,୨୨ ହଜାର ୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ, ୬୦୦ ସେତୁ ନିର୍ମାଣ, ୪ଟି ନୂଆ ମେଡିକାଲ କଲେଜ, ମମତା ଯୋଜନାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଓଡ଼ିଆ ଭାଷାର ବିକାଶ ପାଇଁ ସରକାରୀ ଉଦ୍ୟମ ଆଦି ବିଭିନ୍ନ ସଫଳତାର କାହାଣୀ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ବିଜେଡ଼ି କର୍ମୀମାନଙ୍କୁ ସଚେତନ ହେବାକୁ  କହିଥିଲେ।