ଗାଇସିଲଟରେ ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ସଭା ! ନବୀନ କହିଲେ, ବିଜେପୁର ବିକାଶ ପାଇଁ ବିଜେଡିକୁ ଦିଆଯାଉ ସୁଯୋଗ

34

କନକ ବ୍ୟୁରୋ : ବିଜେପୁରରେ ଜମୁଛି ପ୍ରଚାର । ପ୍ରଚାର ଶେଷ ପାଇଁ ୩୬ ଘଂଟାରୁ କମ ସମୟ ରହିଛି । ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ବିଜେଡି ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଗାଇସିଲଟରେ ନିର୍ବାଚନୀ ସଭା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ଦିଆଯାଉ ବୋଲି ନବୀନ କହିଛନ୍ତି । ଗାଇସିଲଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ପରେ ବିଜେପୁରରେ ପ୍ରଚାର କରିବେ ନବୀନ । ସେହିଭଳି କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ ଓ ଧର୍ମେନ୍ଦ୍ର ପ୍ରଧାନ ବି ସାମିଲ ହୋଇଛନ୍ତି ପ୍ରଚାରରେ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ । ରାମକ୍ରିପାଲ ଯାଦବ ରୋଡ ଶୋ କରିବା ସହ ୯ଟି ସାଧାରଣ ସଭାରେ ଯୋଗଦେବେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ଉଦ୍ୟମ ଘଟଣା ପରେ ରାଜନୀତି ସରଗରମ ହୋଇଛି । ବରଗଡ ଡିଏସପି କହିଛନ୍ତି, ତାଙ୍କ ନାଁ କାର୍ତ୍ତିକ ମେହେର ଓ ସେ ବୁଢାପାଲି, ପଦ୍ମପୁର ଅଂଚଳର । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭାରୀରେ ଉଦବୋଧନ ଦେଉଥିବା ବେଳେ ସଭା ଭିତରୁ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫୋପାଡିଥିଲେ । ଏପରିକି ଦୁଇ ଦୁଇଥର ଜୋତା ଫୋପାଡିଥିଲେ ଯୁବକ ଜଣକ । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ତାକୁ ଅଟକାଇଥିଲେ । ଏଥିସହ ଆକ୍ରମଣକାରୀ ଯୁବକଙ୍କୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ ।

ସେପଟେ ଏହି ଘଟଣାକୁ ନେଇ କଡା କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତି ଜନମତ ବିଭ୍ରାନ୍ତ କରିବାକୁ ଏହା ଏକ ଚାଲ୍ । ସଂପୃକ୍ତ ଯୁବକ ମାନସିକ ବିକୃତ ବୋଲି ଜଣାପଡିଛି । ପୂର୍ବରୁ ସେ ଥରେ କଳାପତାକା ଦେଖାଇଥିଲା । ପୋଲିସ ଏସବୁ ଜାଣିଥିଲା, ତେଣୁ ଗିରଫ କରି ରଖିବା କଥା । କିନ୍ତୁ ପୋଲିସ ତାହା ନକରି ଏବେ ଆଉ ଏକ ଚାଲ କରୁଛି । ତେବେ ଏହି ଘୃଣ୍ୟ କାମରେ ବିଜେଡି ସଫଳ ହେବନାହିଁ ବୋଲି କହିଛନ୍ତି ଜୁଏଲ ଓରାମ ।

ଅନ୍ୟପଟେ ବିଜେପି କର୍ମୀଙ୍କୁ ମନ୍ତ୍ରୀ ସୁଶାନ୍ତି ସିଂ ମାଡ ମାରିବା ଅଭିଯୋଗରେ ବିଜେପି ପକ୍ଷରୁ ଦିଆଯାଇଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ବିଜେପୁର ଥାନା ସମ୍ମୁଖରେ ରାତିତମାମ ଧାରଣା ଦେଇଥିଲେ ବିଜେପି କର୍ମୀ । ଗତକାଲି ସୁଶାନ୍ତ ସିଂ ବିଜେପି କର୍ମୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ବିଜେପି କର୍ମୀମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପୁର ଥାନା ଘେରାଉ କରିବା ସହ ରାତି ସାରା ଧାରଣା ଦେଇଥିଲେ ।