ଭୁବନେଶ୍ୱରରୁ ବ୍ୟାଙ୍କକ ଓ ବେଙ୍ଗାଲୁରୁକୁ ବିମାନ ଉଡାଣ ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ନବୀନ

28

କନକ ବ୍ୟୁରୋ: ଭୁବନେଶ୍ୱରରୁ ବ୍ୟାଙ୍କକ ଓ ବେଙ୍ଗାଲୁରୁକୁ ବିମାନ ସେବା ବନ୍ଦ ନେଇ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଉଲ୍ଲ୍ରେଖ ରହିଛି ଯେ ବେଙ୍ଗାଲୁରୁକୁ ଘରୋଇ ବିମାନସେବା ବନ୍ଦ ଦ୍ୱାରା ରାଜ୍ୟରେ ଆଇଟି ସେକ୍ଟର ପ୍ରଭାବିତ ହେବ । ସେହିପରି ବ୍ୟାଙ୍କକକୁ ବିମାନସେବା ବନ୍ଦ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବ । ତେଣୁ ଖୁବଶୀଘ୍ର ବନ୍ଦ ହୋଇଥିବା ଏହି ବିମାନ ସେବା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏଥିସହ ସିଙ୍ଗାପୁର, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ବିମାନସେନା ଆରମ୍ଭ କରିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ।

ଉଲ୍ଲେଖ ଥାଉ କି, କିଛିଦିନ ତଳେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଥିଲା ଏୟାର ଇଣ୍ଡିଆ । ପରିଚାଳନାଗତ ସମସ୍ୟା ଯୋଗୁଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉଡାଣ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ପୁଣି କେବେ ସେବା ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ୭ ମାସ ହେଲା ସପ୍ତାହକୁ ୩ ଦିନ, ବ୍ୟାଙ୍କକକୁ ବିମାନ ସେବା ଜାରି ରହଥିଲା । ହେଲେ ହଠାତ୍ ଏଥିରେ ବ୍ରେକ୍ ଲଗାଇଦେଇଥିଲା ଏୟାର ଇଣ୍ଡିଆ ।କାରଣ ଦର୍ଶାଯାଇଛି, ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟରେ ବର୍ତ୍ତମାନ ବିମାନ ସେବା ଯୋଗାଇହେବ ନାହିଁ । ଫଳରେ ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ଯାଏଁ ବିମାନ ସେବା ବନ୍ଦ ରହିବ । ତେବେ ପୁଣି କେବେ ଭୁବନେଶ୍ୱରରୁ ବିମାନ ଉଡାଣ ଆରମ୍ଭ ହେବ ତାର ସୂଚନା ଦିଆଯାଇନାହିଁ । ଫଳରେ ଅନିଶ୍ଚିତତା ଘେରକୁ ଚାଲିଆସିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆନ୍ତର୍ଜାତୀକ ବିମାନ ସେବା ।

ବ୍ୟାଙ୍କକକୁ ସେବା ବନ୍ଦ ହେବା ପୂର୍ବରୁ ପୋର୍ଟବ୍ଲେୟାରକୁ ଉଡାଣ ବନ୍ଦ ହୋଇଯାଇଛି । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମାଲେସିଆର କ୍ୱାଲାଲୁମ୍ପୁରକୁ ବିମାନ ସେବା ଜାରିରହିଛି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ହଜ୍ ଯାତ୍ରା ଚାଲିଥିବାରୁ ବିଭିନ୍ନ ରୁଟରେ ବିମାନ ଉଡାଣ ବାତିଲ କରାଯାଇଛି । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସାମୟିକ ଭାବେ ଭୁବନେଶ୍ୱରରୁ ମଧ୍ୟ ଉଡାଣ ବନ୍ଦ ରଖାଯାଇଛି । ତେବେ ପୁଣି କେବେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡିବ ସେନେଇ କିଛି ବି ସ୍ପଷ୍ଟ କରାଯାଇନାହି ାଁ