ପୂଜା ପରମ୍ପରା ଓ ପଲିଟିକ୍ସ ! ଶାସନର ୧୭ ବର୍ଷ ପରେ ଠାକୁରାଣୀ ଯାତ୍ରା ଦେଖିଲେ ନବୀନ

64

କନକ ବ୍ୟୁରୋ : ମାଆ ବୁଢୀ ଠାକୁରାଣୀ ଯାତ୍ରାକୁ ନେଇ ସାରା ଦକ୍ଷିଣ ଓଡିଶା ଚଳଚଂଚଳ ହୋଇ ପଡିଥିବା ବେଳେ ଏଥର ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ତୁଙ୍ଗ ରାଜନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଠାକୁରାଣୀ ଯାତ୍ରାରେ ପହଂଚି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଷ୍ପାଂଜଳି ଦେଇଛନ୍ତି, ମାଆଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀତ୍ୱର ୧୭ ବର୍ଷରେ ନବୀନ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଏହିଯାତ୍ରାରେ । ପଂଚାୟତ ନିର୍ବାଚନ ପରେ ସାଧାରଣ ଲୋକଙ୍କ ସହ ମିଶିବା ପ୍ରକ୍ରିୟାରେ ଏଥିଲା ନବୀନଙ୍କ ଆଉ ଏକ ଅବତାର ।

କେବଳ ନବୀନ ନୁହଁନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତକାଲି ବ୍ରହ୍ମପୁର ଯାଇ ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି । ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଏହିଯାତ୍ରାରେ ହଠାତ୍ ତୁଙ୍ଗ ରାଜନେତାଙ୍କ ଉପସ୍ଥିତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୂଜା ପାର୍ବଣରେ ରାଜନେତା ସାମିଲ୍ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଚଳିତବର୍ଷର ଠାକୁରାଣୀ ଯାତ୍ରା ରାଜନୈତିକ ପାଇଁ ଏକ ବଡ ସୁଯୋଗ ସେମାନଙ୍କ ନିକଟତର ହେବା ପାଇଁ । ଗଂଜାମ ପଂଚାୟତ ନିର୍ବାଚନରେ ବିଜେପି ଖାତା ଖୋଲିପାରିନଥିଲେ ମଧ୍ୟ ରାଜ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ନମ୍ବର ୱାନ୍ ଦଳ ବିଜେଡିକୁ ଦେଇଥିଲା କଡା ଟକ୍କର । ଏବେ କୁହାଯାଉଛି ବିଜେପିର ନୂଆ ଟାର୍ଗେଟ୍ ନବୀନଙ୍କ ଗଡ ।

ମିଳିଥିବା ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ଆଗାମୀ ଓଡିଶା ଗସ୍ତରେ ଗଂଜାମରେ କାର୍ଯ୍ୟକ୍ରମ ରଖିଛନ୍ତି । ବୁଥ୍ ସ୍ତରରେ କେମିତି କର୍ମୀଙ୍କୁ ମୂତୟନ କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରିବେ । ଏସବୁ ଦୃଷ୍ଟି କୋଣରୁ ୨୦୧୭ ଠାକୁରାଣୀ ଯାତ୍ରାରେ ଦୁଇ ତୁଙ୍ଗ ରାଜନେତା ସାମିଲ୍ ହେବା ଚର୍ଚ୍ଚାର ବିଷୟ ହୋଇଛି ।