ସମ୍ବଲପୁର ପାଇଁ ସରକାରଙ୍କ ପ୍ୟାକେଜ୍ । ୩୩୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

129

କନକ ବ୍ୟୁରୋ: ସମ୍ବଲପୁରରେ ବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୧୦୦ କୋଟି ପ୍ରକଳ୍ପର ଉଦଘାଟିତ କରିବା ସହ ୩୩୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘୋଷଣା ମୁତାବକ, ୨୦ କୋଟି ବିନିଯୋଗରେ ମାଳତୀଯୋର ସେତୁ ଓ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର । ଏହାସହ ଜିଲ୍ଲା ସ୍କୁଲ ଠାରୁ ଆରମ୍ଭ କରି ନକ୍ସାପାଲୀ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୪୦ କୋଟି ଟଙ୍କା ଏବଂ ଦୁର୍ଗାପାଲୀ ଠାରୁ ଏନ.ଏଚ ପର୍ଯ୍ୟନ୍ତ ୧୫ କୋଟି ଟଙ୍କାରେ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । କେବଳ ଏତିକି ନୁହେଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ସମ୍ବଲପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖସ୍ଥଳ ମହାନଦୀ ରିଭର ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ଏହାସହିତ ନେଲସନ୍ ମାଣ୍ଡେଲା ଛକରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦ୍ୱାରା ଚାଉପୁର,ଗୋଶାଳା ଓ ଚିପିଲିମା ଭଳି ଅଞ୍ଚଳ ସମ୍ବଲପୁର ସହିତ ସିଧାସଳଖ ଯୋଡ଼ି ହେବ ।