ସ୍ୱାଧୀନତା ଦିବସରେ ବଡ ଘୋଷଣା: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢେ ୩କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା

148

କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ । ଏହି ଅବସରରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ୍ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଂଜଳି ଦେଇଛନ୍ତି ନବୀନ । ସ୍ୱାଧିନତା ଦିବସ ଅବସରରେ ଓଡ଼ିଶାର ସବୁଠୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବରୁ ଘୋଷଣା ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ଆଗକୁ ବଢୁଛି । ଚାଷୀ, ମହିଳା ଓ ଯୁବ ସମାଜ ବିକାଶର ମୁଖ୍ୟ ଆଧାର । ଏହା ସହ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ରାଜ୍ୟର ସାଢେ ତିନି କୋଟି ଲୋକଙ୍କୁ ଲାଭ ମିଳିବ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି କି, ଆଜିଠାରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଉଛି । କିଏ ସହଯୋଗ କରୁ ବା ନକରୁ । ଆପଣମାନଙ୍କ ଟଙ୍କା , ଓଡିଶାବାସୀଙ୍କ ଟଙ୍କା ଓ ଆପଣମାନଙ୍କ ସହଯୋରେ ଏ ଯୋଜନା କାର୍ଯ୍ୟକାରୀ ହେବ । ଓଡିଶାର ୭୦ ଲକ୍ଷ ପରିବାର ଉପକୃତ ହେବେ । ସୁସ୍ଥ- ଓଡିଶା-ସୁଖୀ ଓଡିଶା ।

ସେପଟେ ସ୍ୱାଧିନ ଭାରତର ସବୁଠୁ ବଡ ଜନ କଲ୍ୟାଣ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ସେପ୍ଟେମ୍ବର ୨୫ରୁ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ତେବେ ସ୍ୱାସ୍ଥ୍ୟ ସୁରକ୍ଷାର ବଡ ଯୋଜନାକୁ ନେଇ ଲଢ଼େଇ । ଗୋଟିଏ ପଟେ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟପଟେ ଭୁବନେଶ୍ୱର ରାଜମାର୍ଗରୁ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏଭଳି ଏକ ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ ବଡ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିଥିବା ବେଳେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ସେପ୍ଟେମ୍ବର ୨୫ରୁ ହେବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।