ପ୍ରଶାସନ ସଜାଗ ଥିବା ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ : ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, ରିଲିଫ ସାମଗ୍ରୀ ଓ ଖାଦ୍ୟ ମହଜୁଦ୍

476

କନକ ବ୍ୟୁରୋ : ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନିକୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ନବୀନ କହିଛନ୍ତି, “ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଛି । ଉପକୂଳ ଜିଲ୍ଲା ଗୁଡିକ ନିକଟରେ ଏହା ଅତିକ୍ରମ କରୁଥିବାରୁ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛି ।” ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ଥିବା ନବୀନ କହିଛନ୍ତି ।

ବାତ୍ୟା ‘ଫୋନି’ ନେଇ ସଚିବାଳୟରେ ସମୀକ୍ଷା ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟସରକାର ସତର୍କ ଥିବା କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସମସ୍ତ ଉପକୂଳବର୍ତ୍ତୀ ଅଂଚଳ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୨ ତାରିଖରୁ ଉପକୂଳବର୍ତ୍ତୀ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି । ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରଖାଯାଇଛି । ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।