ଦେଶକୁ ବାର୍ତ୍ତା ଦେଉଛନ୍ତି ନବୀନ । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନବୀନଙ୍କ ନୂଆ ଫର୍ମୁଲା ।

ହାତରୁ ବନ୍ଧୁକ ଓ ହିଂସାର ମାର୍ଗ ଛାଡ଼ି କିପରି ସମ୍ମାନ ସହ ଜୀବନ ବିତାଇବେ ସେନେଇ ସରକାର ଆପଣାଉଛନ୍ତି ନୂଆ ତରିକା ।

100

କନକ ବ୍ୟୁରୋ: ରାଜ୍ୟରେ ଧିରୋ ହ୍ରାସ ପାଉଛି ମାଓବାଦୀଙ୍କ ଆତଙ୍କ ରାଜ୍ । କାରଣ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଉଛନ୍ତି ରାଜ୍ୟ ସରକାର । ହାତରୁ ବନ୍ଧୁକ ଓ ହିଂସାର ମାର୍ଗ ଛାଡ଼ି କିପରି ସମ୍ମାନ ସହ ଜୀବନ ବିତାଇବେ ସେନେଇ ସରକାର ଆପଣାଉଛନ୍ତି ନୂଆ ତରିକା । ଆଉ ଏହାର ଉଦାହରଣ ଗତ କିଛିଦିନ ତଳେ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପର କ୍ୱାର୍ଟରଫାଇନାଲରେ ଦେଖିବାକୁ ମିଳିଥିଲା । ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍ ବସି ଦେଖୁଥିଲେ ତାଙ୍କ ନିକଟରେ କୌଣସି ଭିଭିଆଇପି ବସିନଥିଲେ ବରଂ ବସିଥିଲେ ନିକଟରେ ଆତ୍ମ ସମର୍ପଣ କରିଥିବା ୩୦ରୁ ଉଦ୍ଧ୍ୱର୍ ମାଓବାଦୀ । ଏବଂ ଯେଉଁମାନଙ୍କ ହୃଦୟରେ ବାହାର ଦୁନିଆ ବା ସରକାରଙ୍କୁ ନେଇ ଘୃଣାଭାବ ରହିଥିଲା ତାହାର ବିଲୋପ ଘଟିଥିବା ଏହି ଦୃଶ୍ୟ ହିଁ ବୟାନ କରିଛି । ଏବଂ ଏହାକୁ ନେଇ ମଧ୍ୟ ସାରା ଦେଶରେ ପ୍ରଶଂସା ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

ମାଓବାଦୀଙ୍କୁ ନୂଆ ଦୁନିଆ ବିଷୟରେ ଜାଣିବା, ପାଠ ପଢ଼ିବା, ସାଧାରଣ ଲୋକଙ୍କ ସହ ମିଶିବା ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ସରକାର ଓ ପୋଲିସ ସବୁବେଳେ ଚେଷ୍ଟାରତ । ସେଥିପାଇଁ ତ ବିଗତ ୩ ବର୍ଷ ହେବ ରାଜ୍ୟରେ ମାଓ ଉପଦ୍ରବ ହ୍ରାସ ପାଇଥିବାବେଳେ ୮୦ରୁ ଉଦ୍ଧ୍ୱର୍ ମାଓବାସୀ ଆତ୍ମ ସମର୍ପଣ କରିଥିବା ରିପୋର୍ଟ କହୁଛି । କେବଳ ଯେ ସରକାର ଏନେଇ ଚେଷ୍ଟା କରୁଛନ୍ତି ତା’ନୁହେଁ ଏହାକୁ ସଫଳ କରାଇବା ଏବଂ ମାଓବାଦୀଙ୍କ ମନ ପରିବର୍ତ୍ତନ କରିବା ପାଇଁ ପୋଲିସ ବିଭାଗ, ଆରପିଏଫ,ଗ୍ରେ-ହଣ୍ଟ ଏବଂ ଏସଓଜି ସୁରକ୍ଷାବାହିନୀଙ୍କ ଭୂମିକା ପ୍ରଂଶସନୀୟ ।

ବିଗତ ୩ ବର୍ଷରେ ବଦଳିଛି ଲାଲକରିଡ଼ରର ନକ୍ସା । ଅତିରିକ୍ତ ପୋଲିସ ଡ଼ିଜିପି ଅପରେସନ ଆର,ପି କୋଚେଙ୍କ କହିବା ମୁତାବକ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ ଜଣ ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି । ସେହିଭଳି ୧୦୦ରୁ ଉଦ୍ଧ୍ୱର୍ ମାଓବାଦୀଙ୍କୁ ଗିରଫ କରାଯାଇଛି । ବିଗତ ୩ ବର୍ଷର ରିପୋର୍ଟ କାର୍ଡକୁ ଯଦି ଅନୁଧ୍ୟାନ କରାଯାଏ ତେବେ, ଏହି ୩ ବର୍ଷରେ ରାଜ୍ୟରେ ମାଓ ଉପଦ୍ରବ ଘଟଣା ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । କାରଣ ୨୦୧୬ବର୍ଷରେ ରାଜ୍ୟରେ ୬୮ଟି ମାଓ ଉପଦ୍ରବ ଘଟଣା ସାମ୍ନାକୁ ଆସିଥିବାବେଳେ ୨୦୧୭ରେ ୫୨ ଏବଂ ଚଳିତ ବର୍ଷ ସୁଦ୍ଧା ୪୦ରୁ କମ୍ ରହିଥିବା କହିଛନ୍ତି ଅତିରିକ୍ତ ଡିଜିପି ଅପରେସନ ଆର.ପି କୋଚେ ।

ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଅନେକ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏପରିକି କ୍ଷେତ ବାଡ଼ି ଚାଷ କରି ଏକ ସୁନ୍ଦର ପରିବାର ସହ ଜୀବନ ଯାପନ କରୁଛନ୍ତି । ସବୁଠାରୁ ବଡ଼କଥାହେଲା ଯେ, ଗତ ଦୁଇ ଦିନ ତଳେ ୩୦ ମାଓବାଦୀଙ୍କୁ ନେଇ ରାଜଧାନୀ କଳିଙ୍ଗ ଷ୍ଟାଡିୟମର ଦୃଶ୍ୟ ସମଗ୍ର ଭାରତବର୍ଷକୁ ଭିନ୍ନ ଏକ ବାର୍ତା ପ୍ରଦାନ କରିଛି । ବିଶ୍ବକପ୍ ହକି ଯେମିତି ଓଡ଼ିଶାକୁ ଭାରତ ବର୍ଷରେ ସ୍ବତନ୍ତ୍ର ପରିଚୟ ଦେଇଛି, ସବୁଦିନ ପାଇଁ ଉଦାହରଣ ହୋଇ ରହିବ । ଠିକ୍ ସେମିତି କଳିଙ୍ଗ ଷ୍ଟାଡିୟମର ଏହି ଘଟଣା ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସଙ୍କେତ ଦେଇଛନ୍ତି, ଯେ ଥରେ ହିଂସା ମାର୍ଗ ଛାଡି ମୁଖ୍ୟ ସ୍ରୋତରେ ମାଓବାଦୀ ସାମିଲ ହେଲେ , ସମାଜ ଏମିତି ତାଙ୍କୁ ସମ୍ମାନ ଦେବ।