ଜଳ ସେଚନ ପ୍ରସଙ୍ଗରେ ନବୀନଙ୍କ ରଣହୁଙ୍କାର: କହିଲେ ଖର୍ଚ୍ଚ କରିଛୁ ୨୦ ହଜାର କୋଟି ହେଲେ କେନ୍ଦ୍ର ଦେଇଛି ଅଢେଇଶହ କୋଟି

ନବରଙ୍ଗପୁର ଓ କୋରାପୁଟ ନିର୍ବାଚନୀ ସଭାରୁ ବିଜେପି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ କଲେ ବିଜେଡି ସୁପ୍ରିମୋ

110

କନକ ବ୍ୟୁରୋ: ସବୁ ଜମିକୁ ପାଣି ଯୋଗାଇବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା । ନବରଙ୍ଗପୁର ଓ କୋରାପୁଟରେ ଜନସଭାକୁ ସମ୍ବୋଧିତ କରି ଏହି ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଜଳସେଚନ ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଦେଇଥିବା ବେଳେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଅଢେଇ ହଜାର କୋଟି । ଏଥିସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଫୋକସରେ ରହିଛି ଚାଷୀ ପ୍ରସଙ୍ଗ ଏବଂ ଚାଷୀଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ଆଉ ପ୍ରଚାର ସଭାରେ ନବୀନଙ୍କ ଭାଷଣରୁ ସ୍ପଷ୍ଟ ହୋଇଯାଇଛି ପ୍ରତିପକ୍ଷଙ୍କ ବିରୋଧରେ ନିର୍ବାଚନୀ ଲଢେଇର ମୁଦ୍ଦା । କାରଣ ନବୀନଙ୍କ ଫୋକସରେ ରହିଛି ଚାଷୀ ପ୍ରସଙ୍ଗ । ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କ ଏଜେଣ୍ଡା ଏକ ନମ୍ବରରେ ରହିଥିବା ଘୋଷଣା କରିଛନ୍ତି ନବୀନ । ଆଉ ସରକାରକୁ ଆସିବାର ପ୍ରଥମ ଦିନରେ ବାକିଥିବା ଚାଷୀଙ୍କୁ କାଳିଆ ଯୋଜନାରେ ଦୁଇଟି କିସ୍ତି ଟଙ୍କା ୧୦ ହଜାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ନବରଙ୍ଗପୁର ଓ କୋରାପୁଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଓ ନିର୍ବାଚନୀ ସଭା କରିଛନ୍ତି ନବୀନ । ନବରଙ୍ଗପୁର ରାଇଘରରେ ଜନସଭାକୁ ସମ୍ବୋଧିତ କରି ଚାଷୀଙ୍କ କଲ୍ୟାଣ ତାଙ୍କ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି । ସେହିପରି ନବରଙ୍ଗପୁର ଷ୍ଟାଡିୟମରେ ନିର୍ବାଚନୀ ସଭା ମଂଚରୁ ଉଠାଇଛନ୍ତି କେନ୍ଦ୍ରୀୟ ଅବହେଳାର କଥା । ସବୁ କ୍ଷେତକୁ ପାଣି ଯୋଗାଇଦେବାକୁ ବିଜେପିର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ ।

ଚାଷୀ ଓ ଜଳ ସେଚନ ପ୍ରସଙ୍ଗରେ ବିଜେପିକୁ ଜବାବ ମାଗିବା ଲାଗି ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଏଥିସହ ପୋଲାଭରମ କାହା ସ୍ୱାର୍ଥରେ ବୋଲି ନବୀନ ବାଣ ମାରିଛନ୍ତି । ମହାନଦୀ ପାଣି କାହିଁକି ଅଟକାଗଲା? ଏସସି/ଏସଟି ଛାତ୍ରଛାତ୍ରୀଙ୍କ ସ୍କଲାର୍ସିପ ଟଙ୍କା କାହିଁକି ଦିଆଯାଉ ନାହିଁ? ବର୍ଷକୁ ୨ କୋଟି ହିସାବରେ ୫ ବର୍ଷରେ ୧୦ କୋଟି ଚାକିରିର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରି ବିଜେପି ବିରୋଧରେ ରଣହୁଙ୍କାର ଦେଇଛନ୍ତି ନବୀନ ।

କୋରାପୁଟ କୋଟପାଡ ବିଧାନସଭା କ୍ଷେତ୍ର କୁନ୍ଦ୍ରାରେ ନିର୍ବାଚନୀ ପ୍ରଚାର କରି ଆଂଚଳିକ କାର୍ଡ ଖେଳିଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଦେଖାନଥାଏ । ଏବେ ଭୋଟ୍ ବେଳେ ସେମାନଙ୍କ ଘନଘନ ଗସ୍ତକୁ ନେଇ ପ୍ରଶ୍ନ କରିବା ସହ ବିରୋଧୀଙ୍କ ପାଇଁ କାଉଂଟର ରଣନୀତି ବନାଇଛନ୍ତି ବିଜେଡି ସୁପ୍ରିମୋ ।