ପ୍ରଚାର ମଇଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରରେ ଏଥର କେହି ପାଇବେନି ବହୁମତ, ସରକାର ଗଠନରେ ବିଜେଡିର ଭୂମିକା ରହିବ ଗୁରୁତ୍ୱପୂର୍ଣ୍ଣ

ନୟାଗଡରୁ ଆରମ୍ଭ କଲେ ପ୍ରଚାର: କହିଲେ, ୨୧ଆସନ ଜିତିବ ଦଳ

245

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ଆଜି ନୟାଗଡରେ ଆନୁଷ୍ଠାନିକ ଭାବେ ପ୍ରଚାରକାର୍ଯ୍ୟ ଆରମ୍ଭ କରି ଏଭଳି ଇସାରା ଦେଇଛନ୍ତି ନବୀନ । କହିଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଇ ସବୁ ଭୁଲିଗଲା ବିଜେପି ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି ।

ବିଜେଡି ସୁପ୍ରିମୋ କହିଛନ୍ତି କି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ । ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୃତି ଦେଇଥିଲା । ହେଲେ କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ । ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ନବୀନ କହିଛନ୍ତି, ରାଜ୍ୟରେ ୨୧ରୁ ୨୧ଟି ଲୋକସଭା ଆସନ ବିଜେଡି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ତାଙ୍କର ହାଇକମାଣ୍ଡ ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।

ନବୀନ ଆହୁରୀ ମଧ୍ୟ କହିଛନ୍ତି, ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି ।  ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ । ତେବେ କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।