ବିଜେପିକୁ ନବୀନଙ୍କ କଡ଼ା କଥା ! କହିଲେ,ଦରକାର ନାହିଁ ସ୍ୱତନ୍ତ୍ର ପାହ୍ୟ, କେନ୍ଦ୍ର ଦେଉ ଆର୍ଥିକ ସ୍ୱାଧିନତା, ଓଡ଼ିଶା ଟଙ୍କାରେ ହେବ ଓଡ଼ିଶାବାସୀଙ୍କ ବିକାଶ ।

247

କନକ ବ୍ୟୁରୋ : ସ୍ୱତନ୍ତ୍ର ମାନ୍ୟତା ପାଇଁ ଦାବି କରୁଥିବା ଓଡିଶା ସରକାର ଆଜି ହଠାତ୍ ଏହି ପ୍ରସଙ୍ଗରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଜେଡିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ କଥାକୁ ଉଦ୍ଧାର କରି କହିଛନ୍ତି, ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ଦରକାର ନାହିଁ, କେନ୍ଦ୍ର ଫଣ୍ଡ୍ ବି ଦରକାର ନାହିଁ । ଓଡିଶା ଟଙ୍କାରେ ଓଡିଶାର ଉନ୍ନତି ହେବ । ତେଣୁ ଓଡିଶାକୁ ଆର୍ଥିକ ସ୍ୱାଧିନତା ଦିଆଯାଉ । ଖଣି ଓ କୋଇଲା ରୟାଲଟି ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, ଓଡିଶାରୁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଉପାର୍ଜନ କରୁଥିଲେ ବି ରାଜ୍ୟର ସ୍ୱାର୍ଥପ୍ରତି ଆଖି ବୁଜି ଦେଇଛନ୍ତି ।

‘ସ୍ୱତନ୍ତ୍ର ପାହ୍ୟା ଦରକାର ନାହିଁ’ । ‘ଓଡ଼ିଶାକୁ ଦିଅ ଆର୍ଥିକ ସ୍ୱାୟତ୍ତତା’ । ବିଜେଡି ପ୍ରତିଷ୍ଠା ଦିବସରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ଦୃଢ଼କ୍ତି କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । କାରଣ, ରାଜ୍ୟଗୁଡ଼ିକର ଆୟ ଉପରେ ପର୍ଯ୍ୟବେଶିତ ଦେଶର ଅର୍ଥନୀତି । ଏଭଳି ସ୍ଥିତିରେ ଦେଶର ରାଜକୋଷକୁ ଓଡ଼ିଶାର ଯୋଗ ଦାନ ତୁଳନାରେ ମିଳୁଥିବା ଅନୁଦାନ ଅତ୍ୟନ୍ତ ନିରୁର୍ତ୍ସାଜନକ ବୋଲି ନବୀନ କହିବା ସହ ଆର୍ଥିକ ସ୍ୱାୟତତା ପାଇଁ ଦାବି କରିଛନ୍ତି ।

ଆସନ୍ତୁ ଜାଣିବା ଆର୍ଥିକ ସ୍ୱାୟତ୍ତତା’ କ’ଣ ? ଏଥିରୁ କ’ଣ ମିଳିବ ଲାଭ ? ରାଜ୍ୟର ଆଭ୍ୟନ୍ତରୀଣ ଆର୍ଥିକ କାରବାରକୁ ସ୍ୱାଧିନଭାବେ ପରିଚାଳନା କରିବା ହେଉଛି, ଆର୍ଥିକ ସ୍ୱୟତ୍ତତା । ରାଜ୍ୟର ପାଣ୍ଠିକୁ ସ୍ୱାଧିନଭାବେ ବିନିଯୋଗ କରିବାର କ୍ଷମତା ଏବଂ ନୀତି ନିର୍ଦ୍ଧାରଣ କରିବା ପାଇଁ ଏହା ସହାୟକ ହୋଇଥାଏ । ଅର୍ଥାତ୍ ଏହା ଦ୍ୱାରା ଓଡ଼ିଶା ଟଙ୍କାରେ ଓଡ଼ିଶାର ବିକାଶ ପାଇଁ ପଦକ୍ଷେପ ନିଆଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆର୍ଥିକ ସ୍ୱାୟତତା ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପାଲଟା ପ୍ରଶ୍ନ କରି କହିଛନ୍ତି, ବିଗତ ଦୁଇଟି ଅର୍ଥ କମିଶନ ଅନୁସାରେ ଓଡ଼ିଶା କେତେ ଅର୍ଥ ପାଇଛି ତାହା ହିସାବ କରନ୍ତୁ ।

ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଆର୍ଥିକ ସଂପର୍କ କେମିତି ରହିବା ଆବଶ୍ୟକ, ସେନେଇ ବିଧିବଦ୍ଧ ଭାବରେ ସମ୍ବିଧାନରେ ବର୍ଣ୍ଣନା ରହିଛି । ସମ୍ବିଧାନର ଧାରା ୨୬୮ରୁ ୨୯୩ ମଧ୍ୟରେ ଏହାର ବିସ୍ତୃତ ବ୍ୟାଖ୍ୟା ରହିଛି । ସେହିପରି ଧାରା ୨୮୦ରେ, ଅର୍ଥ କମିଶନ ଗଠନ ଜରିଆରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅର୍ଥ ଭାଗବଂଟା ନେଇ ପଦକ୍ଷେପ ନିଆଯାଇପାରିବ ବୋଲି ଉଲ୍ଲେଖ ରହିଛି । ବଡ କଥା ହେଉଛି ଅର୍ଥ କମିଶନ ମଧ୍ୟ ରାଜ୍ୟ ସମ୍ବଳକୁ ଅଧିକ ସ୍ୱାୟତତା ଦେବା ସପକ୍ଷରେ ଯୁକ୍ତି ରଖି ଆସୁଛନ୍ତି ।