ଅମ୍ପାନ ପ୍ରଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ: ସବୁ ପ୍ରକାରର ସହାୟତା ଦେବାକୁ ଦେଲେ ପ୍ରତିଶ୍ରୃତି; ବାତ୍ୟା ଯୋଗୁଁ ପଡୋଶୀ ରାଜ୍ୟରେ ହୋଇଛି ବ୍ୟାପକ କ୍ଷତି

426

କନକ ବ୍ୟୁରୋ: ଅମ୍ଫାନ ପ୍ରଭାବ ପରବର୍ତ୍ତ ସ୍ଥିତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗକୁ ସବୁ ପ୍ରକାରର ସହାୟତା ଦେବାକୁ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି । ଅମ୍ଫାନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । କୋଲକାତା ସମେତ ୨୪ ପ୍ରଗଣା ଓ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟାରେ ୭୨ ଜଣ ପ୍ରାଣ ହରାଇଛନ୍ତି । ଅନେକ ଅଂଚଳର ଧାନ ଫସଲ ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ଓ ଯୋଗାଯୋଗ ବ୍ୟାହତ ହୋଇଛି ।

ବାତ୍ୟା ଅମ୍ଫାନର କ୍ଷୟକ୍ଷତିର ଆକଳନ ପାଇଁ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି ପହଁଚିବା ପରେ ସେଠାରୁ ସେ ଦମଦମ୍ ବିମାନବନ୍ଦରକୁ ଗସ୍ତ କରିଥିଲେ । ଏହି ଠାରୁ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହେଲିକପ୍ଟର ଯୋଗେ ମୋଦି ପଶ୍ଚିମବଂଗର ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ସ୍ଥିତି ଦେଖିବେ । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ବାତ୍ୟା କ୍ଷୟ କ୍ଷତି ସମ୍ପର୍କରେ ଆଲୋଚନା କରି ଦିନ ପ୍ରାୟ ସାଢେ ଗୋଟାଏରେ ପଶ୍ଚିମବଙ୍ଗ ଛାଡି ଭୁବନେଶ୍ୱର ଅଭିମୁଖେ ଆସିବେ ମୋଦି ।

ଅନ୍ୟପଟେ, ପଶ୍ଚିମବଂଗରେ ବାତ୍ୟା ସମୀକ୍ଷା କରିବା ପରେ ସାଢେ ଗୋଟାଏରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ସୂଚନା ଅନୁସାରେ ଆଜି ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ବିମାନବନ୍ଦରରେ ପହଁଚି ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୨ଟା ୩୦ରେ ପହଁଚିବେ ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହ ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କରିବେ । ରାଜ୍ୟର ୪ଟି ଜିଲ୍ଲା ବିଶେଷ ଭାବେ ସାମୁଦ୍ରକି ବାତ୍ୟା ଅମ୍ଫାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଏହି ସବୁ ଅଂଚଳ ଆକାଶମାର୍ଗରୁ ଦେଖିବା ପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିବେ । ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଏହି ବୈଠକ ।