ଟଙ୍କା ଫେରାଇବେ ଅଯୋଗ୍ୟ ‘କାଳିଆ’ ହିତାଧିକାରୀ: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଟଙ୍କା ଫେରାଇବା ପାଇଁ କରାଯାଉଛି ବ୍ୟବସ୍ଥା

1,477

କନକ ବ୍ୟୁରୋ: ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରୟା ଦେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ପ୍ରାୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି । ଏହାର ପରିମାଣ ହେଉଛି ୧୭୦ କୋଟି ଟଙ୍କା । ଚାଷ କାମରେ ସହାୟତା ପାଇଁ ଖରିପ ଆଉ ରବି ଋତୁରେ ପାଂଚ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ ।

କିନ୍ତୁ ଏହି ଯୋଜନାର ଲାଭ ଉଠାଇ ଏତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଯିବା କଥା ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ସରକାରୀ ସହାୟତା ପାଇଥିିବା ହିତାଧିକାରୀଙ୍କ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ କିଭଳି ଟଙ୍କା ଫେରିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Pratap-Keshari-Deb

ସେପଟେ, କାଳିଆ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରସଙ୍ଗ ନେଇ ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରକୃତର ୩ ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହନ୍ତି । କେବଳ ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ବାକି ୩ ଲକ୍ଷ ୯ ହଜାର ହିତାଧିକାରୀଙ୍କ ପରିବାରରୁ ଏକାଧିକ ସଦସ୍ୟ କାଳିଆ ସହାୟତା ପାଇଛନ୍ତି । ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ହିତାଧିକାରୀଙ୍କୁ କାଳିଆ ଅର୍ଥ ପ୍ରଦାନରେ ଆଡଜଷ୍ଟ କରାଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।