ମୋଦିଙ୍କ ବଜେଟକୁ ଫେଲମାର୍କ ଦେଲେ ନବୀନ । କହିଲେ, କାଳିଆ ଭଳି ଚାଷୀଙ୍କ ପାଇଁ ବ୍ୟବସ୍ଥା ହୋଇଥିଲେ ଭଲ ହୋଇଥାନ୍ତା ।

ବଜେଟକୁ ନୈରାଶ୍ୟଜନକ କହିବା ସହ ମୋଦିଙ୍କୁ ଫେଲ ମାର୍କ ଦେଇଛନ୍ତି ନବୀନ ।

468

କନକ ବ୍ୟୁରୋ: : ଲୋକସଭାରେ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ୍  ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ନବୀନ । କୃଷକ ପରିବାରଙ୍କ ପାଇଁ ରାଜ୍ୟ ସରକାର କରିଥିବା ‘କାଳିଆ’ ଯୋଜନା ଭଳି ଚାଷୀଙ୍କ ଆକାଣ୍ଟକୁ ସିଧାସଳଖ ଟଙ୍କା ଯିବ ତାହାକୁ ସ୍ୱାଗତ କରିଛନ୍ତି ନବୀନ । ଏହାସହ ମଧ୍ୟବିତ୍ତଶ୍ରେଣୀର ଲୋକମାନଙ୍କ ପାଇଁ ଆୟକର ଛାଡ଼ ସୀମା ନିଷ୍ପତିକୁ ମଧ୍ୟ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

– କ୍ଷୁଦ୍ର ଓ ନିମ୍ନ ଆୟକାରୀଙ୍କ ପାଇଁ ଟିକସ ବ୍ୟବସ୍ଥା ନେଇ କରାଯାଇଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି ନବୀନ

– ସେହିଭଳି କାଳିଆ ଯୋଜନା ଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସିଧା ସଳଖ ଆକଉଂଟକୁ ଅର୍ଥ ପଠାଇବା ନିଷ୍ପତ୍ତିକୁ ନବୀନ ସ୍ୱାଗତ କରିବା ସହ କହିଛନ୍ତି, ଯଦି ଚାଷୀଙ୍କୁ ରାଜ୍ୟର ଯୋଜନା ଭଳି ସହାୟତା ରାଶି ଦିଆଯିବା ନେଇ ବ୍ୟବସ୍ଥା କରାଯାଇଥାନ୍ତା, ତେବେ ଚାଷୀ ଉପକୃତ ହୋଇଥାନ୍ତେ । ରାଜ୍ୟରେ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ବାର୍ଷିକ ଦେବାକୁ ସ୍ଥିର ହୋଇଥିବା ବେଳେ ମୋଦି ସରକାର ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

– ସେହିଭଳି ଭୂମିହୀନ ଗରୀବ ଓ ଭାଗ ଚାଷୀଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କରାଯାଇନାହିଁ । ବରଂ କାଳିଆ ଯୋଜନାରେ ସେମାନଙ୍କ ଜୀବନ ଜୀବିକା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।

– ଅନ୍ୟପକ୍ଷରେ ଏମଏସଏମଇ ପାଇଁ ବଜେଟରେ କରାଯାଇଥିବା ପ୍ରାବଧାନକୁ ନବୀନ ଉତ୍ସାହଜନକ ବୋଲି କହିଥିବା ବେଳେ ଏହା କିନ୍ତୁ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯଥେଷ୍ଟ ହେବନାହିଁ ବୋଲି ଉକ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

– ସେହିଭଳି ଜାତୀୟ ସାମାଜିକ ସୁରକ୍ଷା ସ୍କିମ ଯଥା ବାର୍ଦ୍ଧକ୍ୟ କାଳୀନ ଭତ୍ତା ଓ ଅନ୍ୟ ଭତ୍ତା ବାବଦରେ କେନ୍ଦ୍ର ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ ନକରିବାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଉଥିବା ବେଳେ କେନ୍ଦ୍ର ୨୦ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୦୦ ଟଙ୍କା ଲେଖାଏଁ ଭତ୍ତା ଦେବାର ବ୍ୟବସ୍ଥା କରିଛି ।

– ଏସସି/ଏସଟିଙ୍କ ପାଇଁ ବଜେଟରେ ହୋଇଥିବା ଆବଂଟନ ମଧ୍ୟ ଯଥେଷ୍ଟ ନୁହେଁ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଭିତ୍ତିଭୂମି ସଜାଡିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଆବଂଟନ ଯଥେଷ୍ଟ ନୁହେଁ ବୋଲି ନବୀନ କହିଛନ୍ତି । ନବୀନ ନିଜ ପୁରୁଣା ଦାବିକୁ ଦୋହରାଇବାକୁ ମଧ୍ୟ ଭୁଲିନାହାନ୍ତି ।

– ଏମଜିଏନଆରଇଜିଏରେ ଆବଂଟନ ରିଭାଇଜଡ ଏସ୍ଟିମେଟ ତୁଳନାରେ କମ ହୋଇଥିବାରୁ ଆଗାମୀ ଦିନରେ ଠିକ ସମୟରେ ଦୈନିକ ମଜୁରୀ ଦେବାରେ ଅସୁବିଧା ଆସିପାରେ ବୋଲି ଆଭିମୁଖ୍ୟ ରଖିଛନ୍ତି ନବୀନ ।

– ଗ୍ରାମାଂଚଳ ଯୋଗାଯୋଗ, ଗୃହ ନିର୍ମାଣ ଓ ପାନୀୟ ଜଳ ପାଇଁ ବଜେଟ ଆବଂଟନ କମ ହୋଇଛି । ଅବା ପୂର୍ବଥର ଯାହା ଥିଲା ଅପରିବର୍ତ୍ତିତ ରହିଛି । ଯାହା ଉତ୍ସାହଜନକ ନୁହେଁ ।

– ରାଜ୍ୟ ପାଇଁ ହେଉଥିବା ଅର୍ଥୀକ କ୍ଷତିର ମଧ୍ୟ ଅବତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୧୫ ରୁ ୨୦୨୦ ମଧ୍ୟରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ମିଳିବା କଥା । ତେବେ ୨୦୧୫ ରୁ ୨୦୧୮ ମଧ୍ୟରେ ରାଜ୍ୟକୁ ମିଳିଥିବା ଅର୍ଥ, ୨୦୧୮-୧୯ର ରିଭାଇଜଡ ଏଷ୍ଟିମେଟ ଏବଂ ୨୦୧୯-୨୦ର ଅନୁଦାନକୁ ମିଶାଇଲେ ରାଜ୍ୟକୁ ମିଳୁଛି ୧ ଲକ୍ଷ ୫୭ ହଜାର ୮୨୮ କୋଟି ।

– ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଆବଂଟନକୁ ଯଦି ହିସାବ କରାଯାଏ ତେବେ ୨୬ ହଜାର ୩୪୨ କୋଟିର କ୍ଷତି ରାଜ୍ୟ ସହିବ । ତେଣୁ ବଜେଟକୁ ନୈରାଶ୍ୟଜନକ କହିବା ସହ ମୋଦିଙ୍କୁ ଫେଲ ମାର୍କ ଦେଇଛନ୍ତି ନବୀନ ।