ନୂଆପଡାରେ ୨୪୦ କୋଟିର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ, କାଳିଆ ଯୋଜନାରେ ଉପକୃତ ହେଲେଣି ୩୦ ଲକ୍ଷ ଚାଷୀ

119

କନକ ବ୍ୟୁରୋ: ନୂଆପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କାଳିଆ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି । ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ ।

ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତ କି, କାଳିଆ ଯୋଜନା ହେଉଛି ଚାଷୀଭାଇଙ୍କ ଯୋଜନା । ଆପଣମାନଙ୍କର ଯୋଜନା । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭାମାନ ସହ ବଂଚିବା ପାଇଁ ଚାଷୀକୁ କାଳି ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା ସହିତ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ । ସେହିପରି ଏପ୍ରିଲ ୧ ତାରିଖରେ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ,ପ୍ରଥମ କିସ୍ତିରେ ୫ ହଜାର ପାଇଥିବା ଚାଷୀ ପୁଣି ୫ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ନବୀନ ।