ଝାରସୁଗୁଡାରେ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୧୫ ହଜାର କୋଟିରେ ନିର୍ମିତ ପ୍ରକଳ୍ପରୁ ମିଳିବ ୧୩୨୦ ମେଗାୱାଟର ତାପଜ ଶକ୍ତି । 

85

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଝାରସୁଗୁଡା ଏବଂ ରାଉରକେଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଝାରସୁଗୁଡାର ବନହରପାଲିରେ ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମକୁ ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩୨୦ ମେଗାୱାଟର ନିଜସ୍ୱ ତାପଜ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୫ ହଜାର କୋଟି ଟଙ୍କା ନିବେଶରେ ତିଆରି ହୋଇଛି ଓଡିଶାର ସର୍ବ ବୃହତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ପରିବେଶ ଅନୁକୂଳ ପ୍ରକଳ୍ପ ଆଗାମୀ ୨୫ ବର୍ଷ ପାଇଁ ନିଜସ୍ୱ ତାପଜ ଶକ୍ତିର ଏକ ଉତ୍ସ ପାଲଟିବ । କେବଳ ଏତିକି ନୁହେଁ ସୁନ୍ଦରଗଡ ଜିଲ୍ଲା ମନୋହରପୁର କୋଇଲା ଖଣିର  ଉଦଘାଟନ ମଧ୍ୟ ଭିଡ଼ିଓ କନଫରେନସିଂ ଜରିଆରେ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଉଦଘାଟନ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଇତିହାସ ସୃଷ୍ଟି କରିଛି । ୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ହେବାପରେ ଆଗାମୀ ୨୫ ବର୍ଷ ଯାଏଁ ରାଜ୍ୟରେ ବିଦ୍ୟୁତ୍ ଯୋଗାଣରେ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମନୋହରପୁର କୋଇଲା ଖଣିରୁ ରାଜ୍ୟ ସରକାର ନିଜସ୍ୱ ରେଳ ଲାଇନ୍ ନିର୍ମାଣ କରି ବନହରପାଲି ଓପିଜିସିକୁ କୋଇଲା ଯୋଗାଣର ବନ୍ଦୋବସ୍ତ କରୁଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ରାଉରକେଲାର ଚାଷୀ ମହାସମାବେଶ ସମାବେଶରେ ଯୋଗ ଦେଇଛନ୍ତି ନବୀନ । ସମାବେଶରେ କାଳିଆ ଯୋଜନାକୁ ପ୍ରଶଂସା କରିବା ସହ ଚାଷୀଙ୍କ ପାଇଁ ଏହି ଯୋଜନା  । ସାରା ଦେଶର ଚାଷୀ ଭାଇଙ୍କ ପାଇଁ ବାଟ ଫିଟାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।