କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ: ଭାରତୀୟ ହକି ଖେଳାଳି ଓ ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନବୀନ ପଟ୍ଟନାୟକ

ଆଜି ବେଲଜିୟମ ଓ ନେଦରଲାଣ୍ଡ ମଧ୍ୟରେ ଟାଇଟଲ ଟକ୍କର

195

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଆଜି ସରିବ ହକି ମହାକୁମ୍ଭ । କିଏ ହେବ ବିଶ୍ୱବିଜେତା ତାହା ସନ୍ଧ୍ୟାରେ ଜଣାପଡିବ । କିନ୍ତୁ ତା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପଂହଚି ଖେଳାଳିଙ୍କ ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି କମ୍ପେ୍ଲସରେ ରେ ଖେଳାଳି ଓ ହକି ଇଣ୍ଡିଆର ଅଧିକାରୀଙ୍କୁ ସମ୍ବର୍ଧିତ କରିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ୨୮ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ ଆରମ୍ଭ ହୋଇଥିଲା ଓ ଏଥିରେ ଦେଶ ବିଦେଶର ଖେଳାଳି ସାମିଲ ହୋଇଥିଲେ । ହକିପ୍ରେମୀଙ୍କ ମଧ୍ୟରେ ବି ଉତ୍ସାହ ଦେଖାଦେଇଥିଲା ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି କୁରୁକ୍ଷେତ୍ର ତାର ଅନ୍ତିମ ଚରଣରେ ପହଂଚିଛି । ଆଜି ଓଡିଶା ବିଶ୍ୱକପ ହକି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ବେଲଜିୟମ ଏବଂ ଗତ ବିଶ୍ୱକପର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ । ଟାଇଟଲ ପାଇଁ ଆଜି ଦୁଇ ୟୁରୋପୀୟ ଦେଶ ବେଲଜିୟମ ଓ ନେଦରଲ୍ୟାଣ୍ଡ ଭିତରେ ହେବ ଲଢେଇ । ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଛି ବେଲଜିୟମ୍ । ଗତ କିଛି ବର୍ଷ ଭିତରେ ବେଲଜିୟମ ତାର ପ୍ରଦର୍ଶନରେ ଆକସ୍ମିକ ଉନ୍ନତି ଆଣିଛି । ଭାରତ ସହିତ କାନାଡା ଓ ଦକ୍ଷିଣ ଆଫ୍ରିକାକୁ ପୁଲ ସି’ରେ ଟକ୍କର ଦେଇଥିଲା । ଲାଲ ସିଂହର ଦେଶ ବେଲଜିୟମରେ ଅଛନ୍ତି ଦୁର୍ଦ୍ଧର୍ସ ଖେଳାଳି ଆର୍ଥର ଭାନ୍ ଡୋରେନ୍ ଓ ନିପୁଣ ଗୋଲ ରକ୍ଷକ ଭିନସେଂଟ ବନାଶ୍ଚ ।

ଗତବର୍ଷ ଏଫଆଇଏଚ ପକ୍ଷରୁ ଡୋରେନ୍ ଶ୍ରେଷ୍ଠ ପୁରୁଷ ଖେଳାଳି ଓ ବନାଶ୍ଚ ଶ୍ରେଷ୍ଠ ଗୋଲ ରକ୍ଷକ ପୁରସ୍କାର ପାଇଥିଲେ । ଏହି ପ୍ରତିଭାବାନ ଖେଳାଳିଙ୍କୁ ରଖିଥିବା ବେଲଜିୟମ ଟାଇଟଲ ଦାବିଦାର ରହିଛି । ସେହିପରି ଗତ ବିଶ୍ୱକପ୍ର ରନରଅପ୍ ଦଳ ନେଦରଲ୍ୟାଣ୍ଡ । ୨୦୧୪ ହକି ବିଶ୍ୱକପ୍ର ଆୟୋଜକ ତଥା ବିଶ୍ୱ ମାନ୍ୟତାର ୪ ନମ୍ବର ଦଳ । ମୋଟ୍ ୬ଥର ବିଶ୍ୱକପ୍ ଫାଇନାଲ ଖେଳିଥିବାବେଳେ ୩ଥର ଟାଇଟଲ ହାସଲ କରିଛି ଦଳ । ୧୯୭୩, ୧୯୯୦ ଓ ୧୯୯୮ରେ ହକି ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଥିଲା ନେଦରଲ୍ୟାଣ୍ଡ । ୧୯୮୭ ଓ ୧୯୯୪ରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ବିଜୟୀ ହୌଇଥିଲା । ୨୦୦୨ ଓ ୨୦୧୦ରେ ମଧ୍ୟ ଦଳ ତୃତୀୟ ସ୍ଥାନରେ ରହିଥିଲା ।