ହକି ପାଇଁ ନବୀନଙ୍କ ହୃଦୟ ଧକ୍ ଧକ୍ । ହାତରେ ହକି ଷ୍ଟିକ୍ ଧରି ହକି ବିଶ୍ୱକପ ପୂର୍ବରୁ ପ୍ରସ୍ତୁତି ନେଇ ଦେଲେ ଆହ୍ୱାନ । 

ହକି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେତେ ଭଲ ପାଇବା ରହିଛି ତାହା ବିଗତ ଦିନ ମାନଙ୍କରେ କଳିଙ୍ଗ ଷ୍ଟାଡ଼ିୟମରେ ହୋଇଥିବା  ହକି ଟୁର୍ଣ୍ଣାମେଣ୍ଟରୁ ପ୍ରମାଣିତ ହୋଇଛି ।

367

କନକ ବ୍ୟୁରୋ: ନବୀନଙ୍କ ହକି ମାନିଆ । ଏକଥା କହିବାର ତାତ୍ପର୍ଯ୍ୟ ହେଲାକି ହକି ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏହାକୁ ନେଇ ପୁରା ଜୋରଦାର ଚାଲୁଛି । ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ହକି ଷ୍ଟିକ୍ । ଯିଏ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବ , କିନ୍ତୁ ଏହା ନିରାଟ ସତ୍ୟ । ଆଗରେ ଗୋଲ ପୋଷ୍ଟ ଏବଂ ନବୀନଙ୍କ ହାତରେ ହକି ଷ୍ଟିକ୍ ଆଉ ସଟ୍ ମାରିବା ଅପେକ୍ଷାରେ ରହିଛନ୍ତି ନବୀନ ।

ଆପଣଙ୍କ ଅବଗତି ନିମନ୍ତେ କହି ରଖୁଛୁ ଯେ, ଅବସର ହେଉଛି ଯେ, ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲର କର୍ମଶାଳା । ଯେଉଁଠାରେ ଏକାଠି ହୋଇଛନ୍ତି ବିଶ୍ୱ କ୍ରୀଡ଼ା ଜଗତର ଚାମ୍ପିୟନ ଖେଳାଳୀ ଏବଂ ଆଥଲେଟ୍ ଓ ସାହିତ୍ୟିକ । ହକି ବିଶ୍ୱକପ ପୁର୍ବରୁ ଗୋଟିଏ ଛାତ ତଳେ ଏକାଠୀ ହୋଇଛନ୍ତି ବିଭିନ୍ନ ବର୍ଗର କ୍ରୀଡ଼ାବିତ୍ । ଆଉ ଏସୀୟ ମହାଦେଶର ପ୍ରଥମ କରି ଆୟୋଜିତ ହେଉଥିବା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲର ଅବସରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବରୁ ମଧ୍ୟ ହକି ପ୍ରତି ନିଜର ଦୁର୍ବଳତା ଥିବା କେବିସି କାର୍ଯ୍ୟକ୍ରମ ଜରିଆରେ ବଖାଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ହକି ପ୍ରତି ତାଙ୍କର କେତେ ଭଲ ପାଇବା ରହିଛି ତାହା ବିଗତ ଦିନ ମାନଙ୍କରେ କଳିଙ୍ଗ ଷ୍ଟାଡ଼ିୟମରେ ହୋଇଥିବା  ହକି ଟୁର୍ଣ୍ଣାମେଣ୍ଟରୁ ପ୍ରମାଣିତ ହୋଇଛି । କେବଳ ଏତିକି ନୁହେଁ ଉଭୟ ପୁରୁଷ ଏବଂ ମହିଳା ଭାରତୀୟ ହକି ଟିମର ପ୍ରାୟୋଜକ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ।  ଯାହାକୁ ନେଇ ଦେଶବ୍ୟାପୀ ପ୍ରଶଂସା ସାଉଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ।