ନିର୍ବାଚନ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବଡ଼ ଘୋଷଣା: ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ

ମିଶନ ଶକ୍ତି ମହାସମାବେଶରେ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଶୁଣିଲେ ନବୀନ

147

କନକ ବ୍ୟୁରୋ: ନିର୍ବାଚନ ବର୍ଷ ଆରମ୍ଭରୁ ନବୀନ ଖେଳିଛନ୍ତି ମହିଳା କାର୍ଡ । ପୁରୀରେ ହଜାର ହଜାର ଏସଏଚଜି ମହିଳାଙ୍କୁ ନେଇ ବିରାଟ ଆୟୋଜନ କରିବା ସହ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରିଛନ୍ତି ବଡ ଘୋଷଣା । ଏଣିକି ଏସଏଚଜି ଗ୍ରୁପକୁ ବିନା ସୁଧରେ ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ । ମିଶନ୍ ଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏଚଜି ଗ୍ରୁପ ପାଇଁ ଅନେକ ଘୋଷଣା କରାଯାଇଛି । ରାଜ୍ୟର  ସମସ୍ତ ନୂଆ ଏସଏଚଜି ଗ୍ରୁପକୁ ସିଡ୍ ମନି ପାଇଁ ୧୫ ହଜାର ଟଙ୍କା ଦିଆଯାଉଛି ।

 

ନୂଆ ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪୫୦ କୋଟି ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ରାଜ୍ୟର ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହ ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ମାର୍ଟ ଫୋନ ପାଇଁ ୩ ହଜାର ଟକାଂ ଲେଖାଁଏ ପ୍ରଦାନ କରାଯାଉଛି । ଏହି ରାଶି ଏସଏଚଜି ଗ୍ରୁପ୍ର ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯିବ ।

ମିଶନ ଶକ୍ତି ମହାସମାବେଶ ପାଇଁ ପୁରୀ ଜିଲ୍ଳାର ବିଭିନ୍ନ ଅଂଚଳରୁ  ପ୍ରାୟ ୨୯ ହଜାର ଏସଏଚଜି ଗ୍ରୁପର ୫୦ ହଜାରରୁ ଅଧିକ ମହିଳା ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନେ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ । ମଂଚ ଉପରେ ବସି ସଫଳତାର କାହାଣୀ ମନଧ୍ୟାନ ଦେଇ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ପଛରେ ରହିଥିଲା ମହିଳା ସଶକ୍ତିକରଣର ବାର୍ତା । ଚର୍ଚ୍ଚା ହେଉଛି, କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରୁଥିବା ନେଇ ନବୀନଙ୍କ ସ୍ଲୋଗାନର ଏହା ହେଉଛି ପ୍ରତିଫଳନ ।

ପୁରୀ ତାଳବଣିଆ ସ୍ପୋଷ୍ଟର୍୍ କମ୍ପେ୍ଲକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନୋରଂଜନ ପାଇଁ ମଧ୍ୟ କରାଯାଇଥିଲା ସମସ୍ତ ବନ୍ଦୋବସ୍ତ । ଦୁଇ ଉପସ୍ଥାପିକା ଷ୍ଟେଜରେ ଠୁମକା ଲଗାଇ ଆରମ୍ଭ କରିଥିଲେ ମନୋରଂଜନ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ଜାରି ରହିଥିଲା ନାଚ ଗୀତ । ଟିଭି ଓ ସିରିଏଲ  ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ସିରିଏଲର ଅଭିନେତ୍ରୀଙ୍କ ଯାଏଁ ଉପସ୍ଥିତି ହଜାର ହଜାର ମହିଳାଙ୍କ ମନୋରଂଜନ କରିଥିଲେ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମଧ୍ୟ ଜବରଦସ୍ତ ପରଫରମାନ୍ସ ଦେଖିବାକୁ ମିଳିଥିଲା ।

ସେପଟେ,  ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସରକାରଙ୍କ ସହାୟତା ଘୋଷଣା ପରେ ଟ୍ୱିଟରରେ ପ୍ରଶ୍ନ ବର୍ଷା କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ସିରିଜ ଟ୍ୱିଟ୍ କରି ବିଭିନ୍ନ ତଥ୍ୟ ଆଧାରରେ ମିଶନ ଶକ୍ତି ଯୋଜନା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ମୋଟ ୬ଲକ୍ଷ ଏସଏଚଜି ଗ୍ରୁପ ରହିଥବା ସରକାର ଦାବି କରୁଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅପରାଜିତା । ସେହିପରି ଏସଏଚଜି ଗ୍ରୁପ ଗୁଡିକୁ ସିଡ ମନି ଦେବା ନେଇ ହୋଇଥିବା ବିଳମ୍ବକୁ ନେଇ ମଧ୍ୟ ସେ ପ୍ରଶ୍ନ ପଚାରିଛନ୍ତି । ସେହିପରି ଯଦି ରାଜ୍ୟରେ ୬ଲକ୍ଷ ଗ୍ରୁପ ଅଛନ୍ତି ତାହେଲେ ସେମାନେ ବ୍ୟାଙ୍କ ସହିତ କାହିଁକି ସଂଯୁକ୍ତ ନୁହଁନ୍ତି ବୋଲି ଟୁଇଟ କରିଛନ୍ତି ଅପରାଜିତା ଷଡଙ୍ଗୀ ।