ବନ୍ୟାସ୍ଥିତି ସମୀକ୍ଷା ପରେ ନବୀନଙ୍କ ବଡ଼ ଘୋଷଣା । ୫ ଜିଲ୍ଲାର ବନ୍ୟାବିପନ୍ନଙ୍କୁ ୭ ଦିନ ପର୍ଯ୍ୟନ୍ତ ମିଳିବ ରିଲିଫ୍ ।

602

କନକ ବ୍ୟୁରୋ: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୭ ଦିନ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବନ୍ୟାସ୍ଥିତି ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ଜିଲ୍ଲା କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ବଲାଙ୍ଗୀରର ବନ୍ୟା ପୀଡ଼ିତଙ୍କୁ ମିଳିବ ୭ ଦିନର ରିଲିଫ୍ । ଭିଡିଓ କନଫରେସିଂ ଜରିଆରେ କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ୫ ଟି ଜିଲ୍ଲାର ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୭ ଦିନ ପର୍ଯ୍ୟନ୍ତ ରିଲିଫ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବାବଦରେ ବୟସ୍କ ମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ୍ ପ୍ରଦାନ ରିଲିଫ୍ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । କେବଳ ଏତିକି ନୁହେଁ ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚକିତ୍ସା ସହିତ ଟୀକାକରଣ ମଧ୍ୟ କରାଯିବ । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚକିତ୍ସା ସେବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲାକି, ମୋଟ୍ ୭ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଓ କନ୍ଧମାଳ ଭଳି ୭ଟି ଜିଲ୍ଲାର ୧୯ଟି ବ୍ଲକ ପ୍ରଭାବିତ ହୋଇଛି । ସମ୍ପୃକ୍ତ ଜିଲ୍ଲାର ୧୯ଟି ବ୍ଲକର ୧୩୪ଟି ଗାଁର ୨ ଲକ୍ଷ ୫୫୦ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ମୋଟ୍ ୪୧ ହଜାର ୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ବନ୍ୟା ପ୍ରଭାବରେ ୧୦୯ଟି ଘର ଭାଙ୍ଗି ପଡ଼ିଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି । ଏହାବାଦ୍ ୧୧୫ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଜିଲ୍ଲାର ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।