ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ଼ ଘୋଷଣା । ୫ ଲକ୍ଷ ନୂଆ ମଧୁବାବୁ ପେନସନ୍ ଓ ୪୦ ହଜାର କଳାକାର ଭତ୍ତା ଦେବାକୁ ନିଷ୍ପତି ।

ମଧୁବାବୁ ପେନସନ୍ ଓ କଳାକାର ସହାୟତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍ୱତନ୍ତ୍ର କ୍ୟାମ୍ପ ଜରିଆରେ କାର୍ଯ୍ୟର ତଦାରଖ କରାବା ନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

724

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ହିତାଧୀକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା । ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ପେନସନ୍ ଯୋଜନାରେ ଉପକୃତ ହେବେ । ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ମୁଖ୍ୟମନ୍ତ୍ରୀ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ସମୁଦାୟ ୪୮ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ ।

ଏହିକ୍ରମରେ ପୂର୍ବରୁ ୪୩ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି । ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୫୦୦ ଟଙ୍କା ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆକାରରେ ଦିଆଯାଉଛି । ଯେଉଁମାନେ ମାସିକ ୩୦୦ ଏବଂ ୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଉଥିବେ ସେମାନଙ୍କ ସହ ଏହି ଅତିରିକ୍ତ ୫ ଲକ୍ଷ ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ କଳାକାର ସହାୟତା ଯୋଜନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆ ନିୟମ । ଏହି ଯୋଜନାରେ ୪୦ ହଜାର କଳାକାରଙ୍କୁ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉଭୟ ମଧୁବାବୁ ପେନସନ୍ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସ ୧୫ ତାରିଖରରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭତ୍ତା ପ୍ରଦାନ କରାଯିବ । ସେନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।