ଭୋଟ୍ ପୂର୍ବରୁ ବଢିଲା ବାର୍ଦ୍ଧକ୍ୟ ଭତ୍ତା: ୩୦୦ ବଦଳରେ ଏଣିକି ମିଳିବ ୫୦୦ ଟଙ୍କା, ୮୦ ବର୍ଷ ହୋଇଥିଲେ ପାଇବେ ୭ଶହ

ଉପକୃତ ହେବେ ୪୮ଲକ୍ଷ ହିତାଧିକାରୀ

229

କନକ ବ୍ୟୁରୋ: ଭୋଟ୍ ପୂର୍ବରୁ ବଢିଲା ବାର୍ଦ୍ଧକ୍ୟ ଭତ୍ତା । ସାମାଜିକ ସୁରକ୍ଷା ଭତ୍ତା ବାବଦରେ ମାସିକ ୨ଶହ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ୩୦୦ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇବେ । ସେହିପରି ୮୦ବର୍ଷରୁ ଅଧିକ ବୟସ୍କ ମାସିକ ୭୦୦ଟଙ୍କା ଭତ୍ତା ପାଇବେ । ଆଗାମୀ ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ।

ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘୋଷଣା ମୁତାବକ ଏଣିକି ୩ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ପାଇବେ ୫ଶହ ଟଙ୍କା । ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୫ସହ ଟଙ୍କା ବଦଳରେ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମୀ ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ । ଫଳରେ ରାଜ୍ୟର ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ । ଯଦି ଭତା ବୃଦ୍ଧି କରିବାର ଥିଲା ଆଗରୁ କାହିଁକି କଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏହିପରି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।