ଢେଙ୍କାନାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା ।

375

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା । ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ମହିଳା ଚାଷୀଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ ୧ ତାରିଖରେ ‘କାଳିଆ’ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି କ୍ଷେତ୍ରରେ ଭାରତ ବର୍ଷରେ ଓଡ଼ିଶାକୁ ସ୍ୱାବଲମ୍ବୀ କରାଇବା ପାଇଁ ୨୦୦୦ ମସିହାରେ ପ୍ରତିଶ୍ରୁତି ନେଇଥିଲି । ଯାହାର ଫଳ ସ୍ୱରୁପ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ମୋ ପାଇଁ ବଡ଼ ଖୁସିର କଥା, ଆମ ରାଜ୍ୟ ୫ ଥର କୃଷି କର୍ମଣ ପୁରଷ୍କାର ପାଇଛି । ଏହା କେବଳ ଆପଣମାନଙ୍କ କଠିନ ପରିଶ୍ରମ ପାଇଁ ସମ୍ଭବପର ହୋଇପାରିଛି । ସେହିଭଳି କୃଷି କ୍ଷେତ୍ରରେ ଅଗ୍ରଗତି ପାଇଁ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଣିଥରେ ‘ପିଏମ କିଷାନ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ନବୀନ କହିଛନ୍ତି ଯେ, ଭୂମିହୀନ ଚାଷୀଙ୍କ ପାଇଁ ସେଥିରେ କୌଣସି ଯୋଜନା ନାହିଁ । ‘କାଳିଆ’ ଯୋଜନା ସମସ୍ତଙ୍କୁ ବାଟ ଦେଖାଇଛି ଭାଗ ଚାଷୀ, କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନାରେ ସୁବିଧା ରହିଛି । କାଳିଆ ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ । ତେଣୁ ଏହି ସବୁ ଚାଷୀଭାଇଙ୍କୁ ପିଏମ କିଷାନ ଯୋଜନାରେ ସାମିଲ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଚାଷୀ ମହାସମାବେଶରେ ଚାଷୀ ଭାଇ ମାନଙ୍କୁ କାଳିଆ ସହାୟତା ପତ୍ର ଓ ‘କାଳିଆ’ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଢ଼େଙ୍କାନାଳ ଜିଲ୍ଲା ପାଇଁ ୯ଶହ ୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ ଓ ଅନୁଗୁଳ ଜିଲ୍ଲାରେ ୧୧ ଶହ ୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ ଓ ଭତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ୪ଟି ସଡକ ନିର୍ମାଣ ପ୍ରକଳ୍ପ ସହ ୨ଟି ସେତୁ  ଓ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟନ କରାଯାଇଛି ।