ଦୁର୍ନୀତି କଲେ…ନିସ୍ତାର ଦେବେନି ନବୀନ । ଚଳିତ ମାସରେ ୨୧ ଅଧିକାରୀଙ୍କୁ ବରଖାସ୍ତ ସହ ୬ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରୀ । ପୁଣି ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣଙ୍କ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧା ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ସୁନ୍ଦରଗଡ଼ କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ, ବାରିପଦାର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଡାକ୍ତର ଭାଗିରଥୀ ବିଶ୍ୱାଳ, କାମାକ୍ଷାନଗର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଞ୍ଜିନିୟର ବସନ୍ତ କୁମାର ପାତ୍ର । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତି ଏକଜ୍ୟୁକ୍ଟିଭ୍ ଅଫିସର ତ୍ରିଲୋଚନ ସେଠ୍ ଏବଂ ବଣାଇଗଡ଼ ବ୍ଲକର ଏକଜ୍ୟୁଟିଭ୍ ଅଫିସର ଅଷ୍ଟମ ପଟେଲ ।
ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି, ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ପୃଷ୍ଟି, କଟକ ଡ୍ରେନେଜ୍ ଚିଫ୍ ଇଂଜିନିୟର ରବିନ୍ଦ୍ର ନାରାୟଣ ମହାନ୍ତି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ଓ ବାରିପଦା ଆଇଟିଡିଏର ପୂର୍ବତନ ଜୁନିୟର ଇଂଜିନିୟର ରବି ନାରାୟଣ ମହାନ୍ତି । ତେବେ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୨ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଥିଲେ । ଚଳିତ ମାସରେ ମୋଟ୍ ୨୧ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରାଯିବା ସହ ୬ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରାଯାଇଛି ।